ପି.କେ. ନିଖୋଜ! ଧରାଇଦେଲେ ୫ ଲକ୍ଷ ପୁରସ୍କାର

 

ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋର । ରାଜନୈତିକ ଗୋଟି ଚାଳନାରେ ମାହିର ହେଉଛନ୍ତି ପ୍ରଶାନ୍ତ । କିଏ ତାଙ୍କୁ ରାଜନୈତିକ ପଣ୍ଡିତ ଆଖ୍ୟା ଦିଏ ତ’ ଆଉ କିଏ ଚାଣକ୍ୟ ବୋଲି ଅଭିହିତ କରେ। ଏଥର ୟୁପି ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ବିଜୟ ରଣନୀତି ପାଇଁ ଏହି ପ୍ରଶାନ୍ତଙ୍କୁ ବରଣ କରିଥିଲା କଂଗ୍ରେସ। ନିର୍ବାଚନ ପ୍ରସ୍ତୁତି ପାଇଁ ପ୍ରଶାନ୍ତଙ୍କୁ ଅଖଣ୍ଡ କ୍ଷମତା ଦେଇଥିଲା ଦଳ। କିନ୍ତୁ ନିର୍ବାଚନରେ କଂଗ୍ରେସର  ଶୋଚନୀୟ ପରାଜୟ ପରେ ପ୍ରଶାନ୍ତଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ଚର୍ଚ୍ଚା  ହେଉଛି ସେ କୁଆଡ଼େ  ନିଖୋଜ ହୋଇଯାଇଛନ୍ତି।

ତାଙ୍କ ରଣନୀତି  ଫେଲ ମାରିବା ପରେ ୟୁପିର କଂଗ୍ରେସ ନେତାମାନେ ତାଙ୍କୁ ନିଖୋଜ ତାଲିକାରେ ରଖିଦେଇଛନ୍ତି। ଏପରିକି ୟୁପିର କଂଗ୍ରେସ କାର୍ଯ୍ୟାଳୟ ଆଗରେ ପ୍ରଶାନ୍ତ କିଶୋରଙ୍କ ପୋଷ୍ଟର ଲାଗିଛି । ପୋଷ୍ଟରରେ ସେ ନିଖୋଜ ଥିବା ଦର୍ଶାଯାଇଛି।  ତାଙ୍କୁ ଯିଏ ଧରିଆଣିବ  ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଛି। ୟୁପି କଂଗ୍ରେସ ରାଜ୍ୟ ସମ୍ପାଦକ  ରାଜେସ ସିଂ ଏହି ପୋଷ୍ଟର ଲଗାଇଛନ୍ତି। ସେ କହିଛନ୍ତି ଯେ, ଦଳୀୟ କର୍ମୀମାନେ ପ୍ରଶାନ୍ତଙ୍କ କଥାକୁ ଅନୁସରଣ କରି ଅନ୍ଧ ଭଳି କାମ କରିଆସିଲେ। ହେଲେ  ଫଳ ଓଲଟା ହେଲା। ଏହାର ଜବାବ ପ୍ରଶାନ୍ତ ଦେବା ଜରୁରୀ ବୋଲି ସେ କହିଛନ୍ତି। ସେପଟେ ୟୁପିର ରାଜ୍ୟ କଂଗ୍ରେସ ସଭାପତି ରାଜ୍ ବବର୍‌ ତୁରନ୍ତ ପୋଷ୍ଟର ଉଠାଇଦେବାକୁ  ଦଳୀୟ କର୍ମୀଙ୍କୁ କହିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପଛରେ ପ୍ରଶାବାଙ୍କ ମୁଖ୍ୟ  ହାତ ଥିଲା। ଆଉ ପରେ ବିହାର ବିଧାନସଭା ଲାଗି ନୀତିଶଙ୍କ ମଙ୍ଗ ସମ୍ଭାଳିଥିଲେ ପ୍ରଶାନ୍ତ। ତାଙ୍କ ରାଜନୈତିକ  ଗୋଟିଚାଳନା ନିତିଶଙ୍କୁ କ୍ଷମତା ଆସନରେ ବସାଇଥିଲା।  ଏହା ପରେ ପ୍ରଶାନ୍ତଙ୍କ ଚାହିଦା ଏତେ ବଢିଯାଇଥିଲା ଯେ, ତାଙ୍କୁ ନେବା ପାଇଁ ରାଜନୈତିକ ଦଳ ମଧ୍ୟରେ  ସୌଦା ଆରମ୍ଭ ହୋଇଯାଇଥିଲା।