ପ୍ରତିଶ୍ରୁତି ପୂରଣ କରି ନାହାନ୍ତି ମୋଦି: ଶିବସେନା

ମୁମ୍ବାଇ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସବୁ ଘୋଷଣା କରି ଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ ସେଗୁଡ଼ିକ ବର୍ତ୍ତମାନ ସୁଦ୍ଧା ପୂରଣ ହୋଇନାହିଁ। ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ଶିବସେନା ଆଜି ଏଭଳି ଅଭିଯୋଗ କରି ପୁଣି ମୋଦି ସରକାରଙ୍କୁ ଘେରିଛି।

ଶିବ ସେନାର ମୁଖପତ୍ର ‘ସାମନା’ରେ ପ୍ରକାଶିତ ସଂପାଦକୀୟରେ  ଲେଖାଯାଇଛି, ମୋଦି ଗୁଜରାଟ ପାଇଁ ଯାହା କରୁଥିଲେ ଜାତୀୟ ସ୍ତରରେ ସେହି କାର୍ଯ୍ୟଗୁଡ଼ିକୁ କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ନିର୍ବାଚନ ପୂର୍ବରୁ ବହୁତ ଘୋଷଣା କରାଯାଇଥିଲା। ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦିଆଯାଇଥିଲା। ‘ଅଚ୍ଛେ ଦିନ’ କଥା କହିଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଦେଶର ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିନି ଏହି ଅଚ୍ଛେ ଦିନ୍।

‘ସାମନା’ରେ କୁହାଯାଇଛି, ମୋଦିଙ୍କୁ ଜଣେ ଦୃଢ଼ ଓ ସବୁଠୁ ପ୍ରସିଦ୍ଧ ପ୍ରଧାନମନ୍ତ୍ରୀ ବୋଲି କୁହାଯାଉଛି। କିନ୍ତୁ ସେହି ମୋଦି ବ୍ୟୁରୋକ୍ରାଟ୍ସଙ୍କ ପକ୍ଷରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୁଣି ବ୍ୟୁରୋକ୍ରାଟମାନେ ମୋଦିଙ୍କ କଥା ଶୁଣୁ ନ ଥିବା ବୋଲି ମଧ୍ୟ କୁହାଯାଇପାରିବ ନାହିଁ। ‘ସାମନା’ରେ ବ୍ୟଙ୍ଗ କରି କୁହାଯାଇଛି, ହେମାମାଳିନୀଙ୍କୁ ଏକ ପ୍ଲଟ୍ ମାତ୍ର ୭୦ ହଜାର ଟଙ୍କାରେ ଦିଆଯାଇଛି। ତାଙ୍କୁ ଏତେ ଶସ୍ତାରେ ପ୍ଲଟ୍ ଦେବା ନେଇ କ’ଣ ବ୍ୟୁରୋକ୍ରାଟମାନେ ବାଧା ଦେଇ ପାରିଲେନି। ତେଣୁ ଏହା କହିବା ଠିକ୍ ହେବ ନାହିଁ ଯେ ବ୍ୟୁରୋକ୍ରାଟମାନେ ଆଦୌ ମୋଦିଙ୍କ କଥା ଶୁଣନ୍ତି ନାହିଁ। ଯଦି ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ କିଛି ଚାହିଁବେ, ତା’ହେଲେ ବ୍ୟୁରୋକ୍ରାଟମାନେ ତାହାକୁ ନିଶ୍ଚିତ ମାନିବେ। ମୁଖ୍ୟମନ୍ତ୍ରୀଙ୍କ କଥା ଉଠାଇ ଶିବସେନା ପରୋକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଆଡକୁ ଅଙ୍ଗୁଳି ଉଠାଇଛି। କିଛି ଦିନ ହେବ ଶିବସେନା ତାଙ୍କୁ ବିଭିନ୍ନ କଥାରେ ଟାର୍ଗେଟ କରି ଆସୁଛି।