କାହିଁକି କାନ୍ଦିଲେ ତୋଗାଡ଼ିଆ, ତାଙ୍କୁ କିଏ ମାରିବାକୁ କରୁଛି ଷଡ଼ଯନ୍ତ୍ର?

ନୂଆଦିଲ୍ଲୀ: ନିଜ ନିଖୋଜ ରହସ୍ୟ ଉପରୁ ନିଜେ ପରଦା ଉଠାଇଲେ ପ୍ରବୀଣ ତୋଗାଡ଼ିଆ।  ଏନ୍‌କାଉଣ୍ଟର କରି ତାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ରର ସୂଚନା ପାଇ ସେ ଘରୁ ପଳାଇଥିଲେ।   କୋର୍ଟକୁ ଯିବା ବାଟରେ ଅସୁସ୍ଥ ହୋଇପଡ଼ିଥିଲେ।   କିନ୍ତୁ ପ୍ରବୀଣ ତୋଗାଡ଼ଇା ଯେଉଁ ବିସ୍ଫୋରକ ଅଭିଯୋଗ କରିଛନ୍ତି, ତାହା ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହେଉଛି ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ତୋଗାଡ଼ିଆ।

ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଅଛନ୍ତି ପ୍ରବୀଣ ତୋଗାଡ଼ିଆ। ତାଙ୍କ ଅଭିଯୋଗ ଅନୁଯାୟୀ, ହିନ୍ଦୁଙ୍କ ସ୍ୱାର୍ଥଲାଗି ସେ ଲଢ଼େଇ କରୁଥିବା ବେଳେ ବହୁ ପୁରୁଣା ମାମଲାରେ ତାଙ୍କୁ ଫସାଇବାକୁ ହୋଇଛି ଚକ୍ରାନ୍ତ।   ରାମ ମନ୍ଦିର, ଗୋ ହତ୍ୟା, ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ତାଙ୍କୁ କହିବାକୁ ଦିଆଯାଉନାହିଁ।   ଗୁଜରାଟ ପୋଲିସ ସହାୟତାରେ ରାଜସ୍ଥାନ ପୋଲିସ ତାଙ୍କୁ ଗିରଫ କରିବାକୁ ଆସିବାର ସୂଚନା ମିଳିଥିଲା।   କିନ୍ତୁ ଏନ୍‌କାଉଣ୍ଟର କରାଯିବାର ଷଡ଼ଯନ୍ତ୍ର ଜାଣିବା ପରେ ସେ ଘରୁ ପଳାଇ ଯାଇଥିବା କହିଛନ୍ତି ପ୍ରବୀଣ ତୋଗାଡ଼ିଆ।

ଗତକାଲି ହଠାତ ସେ ନିଖୋଜ ହୋଇଥିବା ଖବର ଆସିଥିଲା ।  ତାଙ୍କ ସମର୍ଥକମାନେ ଅଭିଯୋଗ କରିଥିଲେ, ପୋଲିସ ଉଠାଇ ନେଇ ଯାଇଛି ।  ସେମାନେ ବିକ୍ଷୋଭ କରିଥିଲେ।   ପରେ ଅହମଦାବାଦର ସାହିବାଗ ଅଞ୍ଚଳରୁ ତାଙ୍କୁ ଚେତାଶୂନ୍ୟ ଭାବେ ଉଦ୍ଧାର କରାଯାଇଥିଲା।   ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରୁ  ଡିସ୍‌ଚାର୍ଜ ହେବା ପରେ ସେ ନିଜେ ରାଜସ୍ଥାନ ପୋଲିସ ପାଖରେ ଆତ୍ମସମର୍ପଣ କରିବେ ବୋଲି କହିଛନ୍ତି ପ୍ରବୀଣ ତୋଗାଡ଼ିଆ। ଏସବୁ କହିବା ବେଳେ ସେ କାନ୍ଦି ପକାଇଥିଲେ ।  ତେବେ କିଏ କାହିଁକି ପ୍ରବୀଣ ତୋଗାଡ଼ିଆଙ୍କୁ ହତ୍ୟା କରିବାକୁ ଚାହୁଁଛି ।  ଏଥିରେ ରାଜସ୍ଥାନ ଓ ଗୁଜରାଟ ପୋଲିସ କିପରି ସାମିଲ ହେଲେ ।  ଏସବୁ ପ୍ରଶ୍ନକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି।  ତେବେ ଠିକ୍ ସମୟରେ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିବ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରବୀଣ ତୋଗାଡ଼ିଆ।