ତୋଗାଡ଼ିଆଙ୍କୁ ଏନ୍‌କାଉଣ୍ଟର କରିବାକୁ ହୋଇଥିଲା ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ସୋମବାର ନିଖୋଜ ହୋଇଯାଇଥିବା ବିଶ୍ୱ ହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡ଼ିଆ ମଙ୍ଗଳବାର ଗଣମାଧ୍ୟମ ଆଗରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ତାଙ୍କୁ ଏନ୍‌କାଉଣ୍ଟର କରାଯିବାକୁ ଯୋଜନା କରାଯାଇଥିବା ତୋଗାଡ଼ିଆ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ମୋତେ ଚପାଇ ଦେବାକୁ ଚେଷ୍ଟା କରାଯାଉଛି। ମୁଁ କାହାରିଙ୍କୁ ଡରେ ନାହିଁ, ହେଲେ ମୋତେ ଡରାଇବାକୁ ଚେଷ୍ଟା କରାଯାଉଛି।”

ସୋମବାର ନିଖୋଜ ହେବାର ୧୧ ଘଣ୍ଟା ପରେ ତୋଗାଡ଼ିଆଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଆଜି ଗଣମାଧ୍ୟମକୁ ତୋଗାଡ଼ିଆ କହିଛନ୍ତି, “ମୁଁ ହିନ୍ଦୁଙ୍କ ମଧ୍ୟରେ ଏକତା ଆଣିବାକୁ ଉଦ୍ୟମ କରୁଛି। କିଛିବର୍ଷ ହେଲା ରାମ ମନ୍ଦିର, ଗୋହତ୍ୟା ଆଇନ୍‌, କାଶ୍ମୀର ହିନ୍ଦୁଙ୍କ ସ୍ଥାୟୀ କରିବାକୁ ଦାବି କରି ଆସିଛି। ମୋ ବିରୋଧରେ ଆଇନ ଭଙ୍ଗର ଆରୋପ ଲଗାଯାଇଛି। ମକର ସଂକ୍ରାନ୍ତିରେ ରାଜସ୍ଥାନ ପୋଲିସ୍‌ ଏକ ବିରାଟ ଟିମ୍‌ ମୋତେ ଗିରଫ କରିବାକୁ ଆସିଥିଲା। ଏହା ହିନ୍ଦୁଙ୍କ ପାଇଁ ମୋ ଉଦ୍ୟମକୁ ଦବାଇ ଦେବାର ଏକ ଯୋଜନା ଥିଲା।”

ତୋଗାଡ଼ିଆଙ୍କ ହିସାବରେ ଏମିତି ଥିଲା ଘଟଣା କ୍ରମ

ମୁଁ ୧୦ ହଜାର ଡାକ୍ତର ତିଆରି କରିଛି। ହେଲେ ସେଣ୍ଟ୍ରାଲ ଆଇବି ମୋତେ ଡରାଇବାକୁ ଚେଷ୍ଟା କରିଛି। ଗତକାଲି ମୁମ୍ବାଇରେ ମୋର ଏକ କାର୍ଯ୍ୟକମ କରୁଥିଲି। ମୁଁ ପୋଲିସ୍‌କୁ ସାଢେ ୨ଟାରେ ଆସିବାକୁ କହିଥିଲି। ସକାଳେ ପୂଜା କରିବା ବେଳେ ଜଣେ ବ୍ୟକ୍ତି ମୋ ପାଖକୁ ଆସିଥିଲେ। ମୋତେ ଏନ୍‌କାଉଣ୍ଟର କରାଯିବାକୁ ଯୋଜନା ହେଥିବା ସେ କହିଥିଲେ। ଏହାପରେ ନିଜ ରୁମ୍‌ ବାହାରକୁ ଦେଖିଥିଲି। ଦୁଇଜଣ ପୋଲିସ୍‌ କର୍ମଚାରୀ ଛିଡା ହୋଇଥିଲେ। ଏହାପରେ ସେହି ଡ୍ରେସ୍‌ରେ କିଛି ଟଙ୍କା ଧରି ତଳକୁ ଆସିଥିଲି। ତଳେ ଏକ ଅଟୋରେ କିଛି କାର୍ଯ୍ୟକର୍ତ୍ତାଙ୍କ ସହ ପଳାଇ ଯାଇଥିଲି।

ଅଟୋରେ ଯିବା ବେଳେ ରାସ୍ତାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲି। ହେଲେ ଉଭୟ ଏହା ମିଛ କଥା ବୋଲି କହିଥିଲେ। ଏହାପରେ ଫୋନ୍‌ ଟ୍ରାକ୍‌ ହେଇ ନପାରିବା ପାଇଁ ମୁଁ ଏହାକୁ ବନ୍ଦ କରିଦେଇଥିଲି।

ପଚରାପଚରି ପରେ ଜଣା ପଡ଼ିଥିଲା, ମୋତେ ଗିରଫ କରାଯିବାକୁ ୱାରେଣ୍ଟ ଅଣାଯାଇଥିଲା। ରାଜସ୍ଥାନରେ ଓକିଲଙ୍କ ସହ କଥା ହୋଇ ହାଇକୋର୍ଟରେ ୱାରେଣ୍ଟ ଆବେଦନ ନାକଚ କରିବାକୁ ନିବେଦନ କରିଥିଲି। ପରେ ଜୟପୁର ଯାଇ କର୍ମକର୍ତ୍ତାଙ୍କ ସହ କୋର୍ଟକୁ ଆସୁଥିଲି। ଏହି ସମୟରେ ଅସୁସ୍ଥ ହୋଇଗଲି।