ପ୍ରଥମେ ଦେଖା କରିବାକୁ ମୁହଁ ଘୋଡାଇ ଗଲେ ଏହି ଅଭିନେତ୍ରୀ

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଜେଲ ଯିବା ପରେ ତାଙ୍କ ଫ୍ୟାନ୍‌, ପ୍ରଶଂସକ ଓ ବଲିଉଡ୍‌ର କଳାକାରମାନେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେମାନେ ତାଙ୍କୁ ଟ୍ୱିଟ୍‌ ଜରିଆରେ ସାନ୍ତ୍ୱନା ଦେଇଛନ୍ତି। ସେ ଜେଲ୍‌ ଯିବା ପରେ ତାଙ୍କୁ ପ୍ରଥମେ ଦେଖା କରିବାକୁ ତାଙ୍କ ଖାସ୍‌ ବନ୍ଧୁ ପ୍ରୀତି ଜିଣ୍ଟା ପହଞ୍ଚିଥିଲେ। ଆଜି ସେ ଯୋଧପୁର ପହଞ୍ଚି ନିଜ ଚେହେରା ହ୍ୟାଟ୍‌ରେ ଲୁଚାଇ ସଲମାନଙ୍କୁ ଦେଖାକରିବାକୁ ଯାଇଥିଲେ। କିନ୍ତୁ ଲୋକେ ତାଙ୍କୁ ଚିହ୍ନି ପାରିଥିଲେ।

ଯୋଧପୁର ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରୀତି ତୁରନ୍ତ ସଲମାନଙ୍କୁ ଦେଖା କରିବାକୁ ଜେଲ୍‌ ଯାଇଥିଲେ। ଜେଲ୍‌ ଯିବା ସମୟରେ ସେ ଏକ ଧଳା ରଙ୍ଗର ହ୍ୟାଟ୍‌ରେ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରୁଥିବା ଦେ‌ଖିବାକୁ ମିଳିଥିଲା।  କିନ୍ତୁ ଶେଷ ଖବର ସୁଦ୍ଧା ଏହା ଜଣାପଡ଼ିନି ଯେ, ସଲମାନଙ୍କ ସହ ତାଙ୍କୁ ଦେଖା କରିବାକୁ ଦିଆଯାଇଛି ନା ନାହିଁ।।

ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏହା ସହ ତାଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦଣ୍ଡାଦେଶ ପରେ ସଲମାନଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି। ଦଣ୍ଡାଦେଶ ପରେ ତାଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଥିଲେ। ଶନିବାର ତାଙ୍କ ଜାମିନ୍‌ ଆବେଦନ ଉପରେ ଶୁଣାଣି ହେବ।