ଆଜି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷ କାର୍ଯ୍ୟ ଦିବସ: କାଲି ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ହେଉଛି ଶେଷ କାର୍ଯ୍ୟ ଦିବସ। ଗତକାଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏନେଇ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସ୍ୱତନ୍ତ୍ର ଉତ୍ସବର ଆୟେଜନ କରାଯାଇଥିଲା। ଉପରାଷ୍ଟ୍ରପତି ହମିଦ୍ ଅନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡଭାନି, ଅନ୍ୟାନ୍ୟ ଦଳର ନେତା ଓ ବିଶିଷ୍ଟ  ବ୍ୟକ୍ତିମାନେ ଉତ୍ସବରେ ସାମିଲ ହୋଇଥିଲେ।

ପ୍ରଣବ, ବିଦାୟୀ ଭାଷଣରେ ନିଜର ଦୀର୍ଘ ରାଜନୈତିକ ଜୀବନ ବିଷୟରେ ଉଲ୍ଲେଖ କରିଥିଲେ। ଲୋକସଭା ଓ ରାଜ୍ୟସଭାରେ ନିଜର ୩୭ ବର୍ଷର ଅଭିଜ୍ଞତା ବଖାଣି ଥିଲେ।  ମନମୋହନ ସିଂହ ଓ ଆଡଭାନୀଙ୍କଠାରୁ ବହୁ ପରାମର୍ଶ ପାଇଥିବା କହିଥିଲେ ପ୍ରଣବ ମୁଖାର୍ଜୀ।  ଇନ୍ଦିରା ଗାନ୍ଧିଙ୍କୁ ଆଇରନ ଲେଡି ଭାବେ ସେ ଅଭିହିତ କରିଥିଲେ ।

ଦେଶରେ ଏକକ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗୁ କରାଯିବାକୁ ପ୍ରଣବ ସ୍ୱାଗତ କରିଥିଲେ। ଏହା କୋଅପରେଟିଭ ଫେଡେରାଲିଜିମ୍‌ର ବାର୍ତ୍ତାବହ ସାଜିଥିବା ପ୍ରଣବ କହିଥିଲେ ।

ସେହିପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଭୂୟସୀ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଜଣେ ନମ୍ର ସେବକ ଭାବେ ସେ ଅବସର ନେଉଥିବା କହିଥିଲେ।

ଅନ୍ୟପକ୍ଷରେ ଆସନ୍ତାକାଲି ଦେଶର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ।  ରାଷ୍ଟ୍ରପତି ଭାବେ କୋବିନ୍ଦ ଦାୟିତ୍ୱ ନେବା ପରେ ସେନାର ମନୋବଳ ବଢ଼ାଇବାକୁ ପ୍ରଥମ ଗସ୍ତ କାର୍ଯ୍ୟକ୍ରମରେ ସେ ଲଦାଖ ଯିବାର ସୂଚନା ରହିଛି। ଏଥିପାଇଁ ଲଦାଖ କ୍ୟାମ୍ପରେ ଥିବା ସେନା ଅଧିକାରୀ ଓ ଯବାନମାନେ ଉତ୍ସାହିତ ହୋଇପଡିଛନ୍ତି।