ଜାତି-ଧର୍ମ ଉର୍ଦ୍ଧ୍ଵରେ ରହି କାମ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ଵାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ସେଣ୍ଟ୍ରାଲ୍ ହଲରେ ଉଭୟ ସଦନକୁ ଉଦବୋଧନ ଦେଇଛନ୍ତି। ଚଳିତ ସରକାରର ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ତାଙ୍କର ପ୍ରଥମ ଅଭିଭାଷଣ ରଖିଛନ୍ତି। ଯେଉଁଥିରେ ସେ ମୋଦି ସରକାରଙ୍କର ଆଗାମୀ ଏଜେଣ୍ଡା ବାବଦରେ ଗୃହକୁ ଅବଗତ କରାଇଛନ୍ତି। ଏହି ଅବସରରେ ଲୋକସଭା ନିର୍ବାଚନର ସଫଳ ଆୟୋଜନ କରିଥିବାରୁ ନିର୍ବାଚନ କମିଶନ ଓ ସୁରକ୍ଷା କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି। ଚଳିତ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ପ୍ରଥମ ଥର ପାଇଁ 78 ମହିଳା ସାଂସଦ ଗଣତନ୍ତ୍ରର ଏହି ମନ୍ଦିରକୁ ନିର୍ବାଚିତ ହୋଇ ଆସିଥିବାରୁ ରାଷ୍ଟ୍ରପତି ଖୁସି ପ୍ରକାଶ କରିଛନ୍ତି।

କଣ କହିଲେ ରାଷ୍ଟ୍ରପତି?

  • ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଏହି ନୂଆ ଭାରତ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଚିନ୍ତାଧାରାର ଭାରତ ହେବ, ଯେଉଁଠି ଭୟମୁକ୍ତ, ଆତ୍ମସମ୍ମାନ ଭଳି ସକାରାତ୍ମକ ଚିନ୍ତାଧାରା ସହ ଦେଶବାସୀ ଆଗକୁ ବଢ଼ିବେ।

  • ୨୦୧୪ ପୂର୍ବରୁ ଦେଶରେ ନିରାଶାର ପରିବେଶ ଥିଲା। ଏବେ ଦେଶର ପ୍ରତ୍ୟେକ ବ୍ୟକ୍ତିକୁ ସମୃଦ୍ଧ କରିବା ସରକାରର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଚଳିତ ସରକାର ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ ଉପରେ ଆଧାରିତ।

  • ଦେଶରେ ଝିଅ-ମହିଳାଙ୍କ ସମ୍ମାନ ରକ୍ଷା ପାଇଁ ତିନି ତଲାକ, ନିକାହ-ହଲାଲା ଭଳି କୁପ୍ରଥାକୁ ଉଚ୍ଚେଦ କରିବା ଜରୁରୀ। ମହିଳା ସଶକ୍ତିକରଣ ସରକାରଙ୍କ ପ୍ରାଥମିକତା ରହିଛି। ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଦେଶର ୧୧୨ଟି ପଛୁଆ ଜିଲ୍ଲାର ବିକାଶ ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଚାଷୀ ଏବଂ ଛୋଟ ବ୍ୟବସାୟୀଙ୍କ ସମୃଦ୍ଧି ଲକ୍ଷ୍ୟରେ ସରକାର ପେନସନ ଯୋଜନା ଆରମ୍ଭ କରିଛନ୍ତି।

  • କୃଷି କ୍ଷେତ୍ରରେ ଅଧିକ ଉତ୍ପାଦ ପାଇଁ ୨୫ ଲକ୍ଷ କୋଟି ଟଙ୍କାର ନିବେଶ ହେବ। ସମାଜର ଶେଷ ବ୍ୟକ୍ତି ବି ବିକାଶରେ ସାମିଲ ହେବା ଦରକାର। ଏହା ହେଉଛି ସରକାରର ଲକ୍ଷ୍ୟ। ନୂଆ ଭାରତରେ ଗ୍ରାମୀଣ ଭାରତ ଅଧିକ ମଜଭୁତ ହେବ। ଏହା ଯୁବ ଭାରତର ସ୍ୱପ୍ନ ପୂରଣ କରିବ, ଯାହାଦ୍ୱାରା ଆହୁରି ଶକ୍ତିଶାଳୀ ହେବ ଭାରତ।

  • ରାଷ୍ଟ୍ରପତି ଜଳସଙ୍କଟ ପ୍ରସଙ୍ଗ ଉଠାଇ କହିଛନ୍ତି,  ଆଗାମୀ ଭବିଷ୍ୟତ ପାଇଁ ଆମକୁ ଜଳ ସଂରକ୍ଷଣ କରିବାକୁ ପଡ଼ିବ। କାରଣ ଆଗକୁ ପାଣି ସମସ୍ୟା ଦେଖାଦେବ। ତେଣୁ ଚଳିତ ସରକାର ପାଣି ସମସ୍ୟାକୁ ଗୁରୁତ୍ଵ ଦେଇ ଏକ ସ୍ଵତନ୍ତ୍ର ଜଳ ମନ୍ତ୍ରଣାଳୟ ତିଆରି ହେବ ବୋଲି ସେ କହିଛନ୍ତି।