‘ଗାଈ’ ନାଁ ଶୁଣିଲେ କିଛି ଲୋକ ଚମକି ପଡ଼ୁଛନ୍ତି: ମୋଦି

ନୂଆଦିଲ୍ଲୀ: ‘ଓମ୍‌’ ଏବଂ ‘ଗାଈ’ ନାଁ ଶୁଣିଲେ କିଛି ଲୋକଙ୍କ ଲୋମ ଟାଙ୍କୁରି ଉଠୁଛି ଏବଂ ଚମ୍‌କି ପଡ଼ୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶର ମଥୁରାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଗାଇର ଗ୍ରାମୀଣ ଅର୍ଥନୀତିରେ ବଡ଼ ଭୂମିକା ରହିଛି।

ସେ ଆଜି ଏହି କାର୍ଯ୍ୟକ୍ରରେ କହିଥିଲେ, “କିଛି ଲୋକ ଗାଈ ଏବଂ ଓମ୍‌ର ନାମ ଶୁଣିଲେ ସେମାନଙ୍କ ଲୋମ ଟାଙ୍କୁରି ଉଠେ। ସେମାନେ ଭାବନ୍ତି ଦେଶ ଷୋଡ଼ଷ ଶତାବ୍ଦୀକୁ ଚାଲିଗଲା। ଆମେ ଗାଇକୁ ଛାଡ଼ି ଗ୍ରାମୀଣ ଅର୍ଥନୀତି କଥା ଚିନ୍ତା ବି କରିପାରିବା?”

ସେ ଆହୁରି ମଧ୍ୟ କହିଥିଲେ, ପରିବେଶ ଏବଂ ଜୀବଜନ୍ତୁଙ୍କର ଭାରତୀୟ ଅର୍ଥନୀତି ପାଇଁ ବଡ଼ ଭୂମିକା ରହିଛି। ଆମେ ଏକ ନୂଆ ଏବଂ ସଶକ୍ତ ଭାରତ ଦିଗରେ ଯାଇ ପ୍ରକୃତି ଏବଂ ଅର୍ଥନୀତି ମଧ୍ୟରେ ସମତୁଲ ରକ୍ଷା କରିପାରିବା। ଏହି ଅବସରରେ ଗୋସେବା କ୍ଷେତ୍ରରେ କାର୍ଯ୍ୟରତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

ପଧାନମନ୍ତ୍ରୀ ମୋଦି ଆଜି ଶୁଭାରମ୍ଭ କରିଥିବା ନୂଆ ଯୋଜନାରେ ୫ ବର୍ଷ ପାଇଁ ଗାଇଗୋରୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ୧୨,୬୫୨ କୋଟି ନିବେଶ ହେବ। ୨୦୨୪ ଯାଏ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ଗାଈ ସହିତ ମଇଁଷି, ମେଣ୍ଡା, ଛେଳୀ ଏବଂ ଘୁଷୁରୀଙ୍କ ରୋଗ ପ୍ରତିଷେଧକ ବ୍ୟବସ୍ଥା କରାଯିବ।