ପ୍ରିୟଙ୍କା ଗାନ୍ଧିଙ୍କୁ ଠେଲାପେଲା: ରାଗି ଯାଇ କଂଗ୍ରେସ କର୍ମୀଙ୍କୁ କହିଦେଲେ ଏମିତି କଥା

ନୂଆଦିଲ୍ଲୀ: ଉନ୍ନାୱ ଏବଂ କାଠୁଆ ଦୁଷ୍କର୍ମ ମାମଲାରେ ବିଜେପିକୁ ଟାର୍ଗେଟ୍‌ କରି ଭିନ୍ନ ଧରଣର ପ୍ରତିବାଦ ଜଣାଇଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ତ୍ୱରେ ଦଳର କର୍ମକର୍ତ୍ତାମାନେ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଡିଆ ଗେଟ୍‌ରେ ପହଞ୍ଚି କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରାରେ କଂଗ୍ରେସ ନେତା, ସାଧାରଣ ଜନତାଙ୍କ ସମେତ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ୍ ହୋଇଥିଲେ। କିନ୍ତୁ ଶୋଭାଯାତ୍ରାରେ ଏମିତି କିଛି ଘଟଣା ଘଟିଲା ଯେଉଁଥିରେ କଂଗ୍ରେସ କର୍ମକର୍ତ୍ତାଙ୍କ ଉପରେ ରାଗି ଯାଇଥିଲେ ପ୍ରିୟଙ୍କା ଏବଂ ଆସିଥିବା କଂଗ୍ରେସ କର୍ମକର୍ତ୍ତାଙ୍କୁ  ଘରକୁ ଚାଲିଯିବା ପାଇଁ ସିଧାସିଧା ଜଣାଇ ଦେଇଥିଲେ।

ପ୍ରକୃତ ଘଟଣାଟି ହେଉଛି, କ୍ୟାଣ୍ଡେଲ ଶୋଭାଯାତ୍ରା ସମୟରେ ଇଣ୍ଡିଆ ଗେଟ୍‌ରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ କଂଗ୍ରେସ କର୍ମକର୍ତ୍ତାମାନେ ପ୍ରିୟଙ୍କାଙ୍କ ସହିତ ହାତ ମିଳାଇବା ଓ ସେଲ୍‌ଫି ନେବା ପାଇଁ ଠେଲାପେଲା ହୋଇଥିଲେ। ଏଥିରେ ପୂରାପୂରି ଫସି ଯାଇଥିଲେ ପ୍ରିୟଙ୍କା। ଖବର ଅନୁସାରେ ତାଙ୍କୁ ମଧ୍ୟ ଠେଲାପେଲା କରାଯାଇଥିଲା। ଏଥିରେ ସେ ରାଗିଯାଇ କହୁଣୀ ମାରି ମାରି ଆଗକୁ ଯାଇଥିଲେ ଓ କର୍ମକର୍ତ୍ତାଙ୍କୁ ଶୃଙ୍ଖଳାର ପାଠ ପଢ଼ାଇ ଥିଲେ।

ପ୍ରିୟଙ୍କା ଏତେ ରାଗି ଯାଇଥିଲେ ଯେ, କର୍ମକର୍ତ୍ତାମାନଙ୍କୁ ଫେରିଯିବା ପାଇଁ ରୋକ୍‌ଠୋକ୍ ଶୁଣାଇ ଦେଇଥିଲେ। ସେ କହିଥିଲେ, “ଆପଣମାନେ ଭାବନ୍ତୁ କି ଆପଣ କ’ଣ କରୁଛନ୍ତି। ଏବେ କାହାକୁ ଠେଲାପେଲା ନ କରି ଚୁପଚାପ୍‌ ଚାଲନ୍ତୁ। ଯଦି ଠେଲାପେଲା କରିବାର ଅଛି, ତାହେଲେ ଘରକୁ ପଳାନ୍ତୁ।”

ହଠାତ୍‌ ପ୍ରିୟଙ୍କାଙ୍କ ଏପରି ରୂପ ଦେଖି ସାଧରାଣ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।