ପୁଲିସ୍‌ ଅଟକାଇବାରୁ ଧାରଣାରେ ବସିଲେ ପ୍ରିୟଙ୍କା

ଲକ୍ଷ୍ନୌ: ଜମି ବିବାଦକୁ ନେଇ ଜୁଲାଇ ୧୭ରେ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ଏବେ ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି।

ଆଜି ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାକୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ସୋନଭଦ୍ରା ଯାଉଥିଲେ। ତେବେ ପୁଲିସ୍‌ ତାଙ୍କୁ ମିର୍ଜାପୁର ଠାରେ ଅଟକ ରଖିଛି। ଏହା ବିରୋଧରେ ପ୍ରିୟଙ୍କା ଓ କଂଗ୍ରେସର ସମର୍ଥକମାନେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ।

ସୋନଭଦ୍ରା ଅଞ୍ଚଳରେ ୧୪୪ ଧାରା ଲାଗୁ କରିଥିବାରୁ ପୁଲିସ୍‌ ପ୍ରିୟଙ୍କାକୁ ସେଠାକୁ ଯିବାକୁ ବାରଣ କରିଥିଲା। ୧୪୪ ଧାରା ଜାରି ଥିବାରୁ ସେଠାକୁ ଏକକାଳୀନ ୪ ଜଣରୁ ଅଧିକ ଲୋକ ସେଠାକୁ ଯାଇ ପାରିବେ ନାହିଁ ବୋଲି ପୁଲିସ କହିଥିଲା। ପ୍ରିୟଙ୍କା ୪ ଜଣଙ୍କ ସହ ସେଠାକୁ ଯିବାକୁ ପୁଲିସ୍‌କୁ କହିଥିଲେ ହେଁ ସ୍ଥାନୀୟ ପ୍ରଶାସନ ଏହାକୁ ଶୁଣି ନଥିଲା।

ପ୍ରିୟଙ୍କା କହିଛନ୍ତି, “ଆମେ କେବେ ହେଲେ ପଛଘୁଞ୍ଚା ଦେବୁ ନାହିଁ। ଆମେ ଶାନ୍ତିପୂର୍ଣ୍ଣ ଭାବେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲୁ। ମୁଁ ଜାଣିନି ସେମାନେ ମୋତେ କୁଆଡ଼େ ନେଉଛନ୍ତି। ଆମେ ସବୁଆଡ଼େ ଯିବାକୁ ପ୍ରସ୍ତୁତ ରହିଛୁ।”

ପୁଲିସ୍‌ ପ୍ରିୟଙ୍କା ଏବଂ ତାଙ୍କ ସହ ଯାଇଥିବା କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲେ ହେଁ ରାହୁଲ ଗାନ୍ଧି ପୁଲିସ୍‌ ପ୍ରିୟଙ୍କାକୁ ଗିରଫ କରିଛି ବୋଲି ଟ୍ୱିଟ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି।

ରାହୁଲ ଟ୍ୱିଟ କରି କହିଛନ୍ତି, “ପୁଲିସ୍‌ ପ୍ରିୟଙ୍କାକୁ ବେଆଇନ୍‌ ଭାବେ ଉତ୍ତର ପ୍ରଦେଶର ସୋନଭଦ୍ରାରେ ଗିରଫ କରିବା ନିହାତି ନିନ୍ଦନୀୟ ଘଟଣା। ପ୍ରିୟଙ୍କା ଗୁଳିମାଡ଼ରେ ପ୍ରାଣ ହରାଇଥିବା ନିରୀହ ୧୦ ଜଣ ଆଦିବାସୀ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲେ। ହେଲେ କ୍ଷମତାରେ ଥିବା ସରକାର ଏହାକୁ ବାଧା ଦେଇଛି। ବିଜେପି ସରକାର ୟୁପିରେ କେମିତି ଶାସନ କରୁଛନ୍ତି, ଏଥିରୁ ସ୍ପଷ୍ଟ ହୋଇଛି।”

ପୁଲିସ୍‌ ପ୍ରିୟଙ୍କାକୁ ଅଟକ ରଖିବା ପରେ ସେ ଓ ଅନ୍ୟ କଂଗ୍ରେସ ନେତାମାନେ ମିର୍ଜାପୁର ଠାରେ କିଛି ସମୟ ପାଇଁ ଧାରଣାରେ ବସିଥିଲେ।