ଯେତେ ଛୁଆ ସେତେ ପୁରସ୍କାର

ଭୋପାଳ: ଭାରତରେ ଜନସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। କୁହାଯାଉଛି ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ଚୀନର ଜନସଂଖ୍ୟାକୁ ଟପିଯିବ।  ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାରତ ସରକାର ଲୋକଙ୍କୁ ସଚେତନ କରାଯାଉଛି। ଲୋକେ ବି ସଚେତନ ହେଲେଣି। ଶିକ୍ଷିତ ଲୋକେ ଆଉ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସନ୍ତାନ କରୁ ନାହାଁନ୍ତି। କିନ୍ତୁ ଏହି ଭାରତରେ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ ୩ରୁ ୪ଟି ସନ୍ତାନ ଜନ୍ମ କଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ମାହେଶ୍ୱରୀ ସମାଜ ଏହି ଘୋଷଣା କରିଛି। ଏକ ଦମ୍ପତିଙ୍କର ତୃତୀୟ ସନ୍ତାନ ହେଲେ ୫୦ ହଜାର ଟଙ୍କା, ଚତୁର୍ଥ ସନ୍ତାନ ହେଲେ ୧ ଲକ୍ଷ ଏବଂ ପଞ୍ଚମ ସନ୍ତାନ ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ଏହି ସମାଜ ଘୋଷଣା କରିଛି।

କ’ଣ ପାଇଁ ଏହି ଘୋଷଣା?: ଇନ୍ଦୋର ଜିଲ୍ଲାର ମାହେଶ୍ୱରୀ ସମାଜର କାର୍ଯ୍ୟକାରୀ ସଦସ୍ୟ ରାମସ୍ୱରୂପ ମୁନ୍ଦଡ଼ା କହିଛନ୍ତି, ତିନି ବର୍ଷ ତଳେ ଦେଶସାରା ଯେଉଁ ଜନଗଣନା କରାଯାଇଥିଲା, ସେଥିରେ ତାଙ୍କ ସମାଜର ଜନସଂଖ୍ୟା ୧୬ ଲକ୍ଷ ରହିଥିଲା। ବର୍ତ୍ତମାନ ୬୦ ପ୍ରତିଶତ ସର୍ଭେ ସରିଲାଣି। ଏଥିରେ ମାହେଶ୍ୱରୀ ସମାଜର ଜନସଂଖ୍ୟା ୨ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ କମ୍‌ ହେବାର ଆଶଙ୍କା ରହିଛି। ତେଣୁ ବର୍ଷକୁ ଜନସଂଖ୍ୟା ୪ ପ୍ରତିଶତ କମୁଥିବା କଥା ସାମ୍ନାକୁ ଆସିଛି। ଅଖିଳ ଭାରତୀୟ ମାହେଶ୍ୱରୀ ମହାସଭାର ସଭାପତି ଶ୍ୟାମ ସୋନୀଙ୍କ କହିବା ଅନୁସାରେ ଯେକୌଣସି ସମାଜର ଜନସଂଖ୍ୟା ବଢ଼ିବା ପାଇଁ ୧୦୦ ଦମ୍ପତିଙ୍କଠାରୁ ୨୨୦ ସନ୍ତାନ ଜନ୍ମ ହେବା ଜରୁରୀ। କିନ୍ତୁ ମାହେଶ୍ୱରୀ ସମାଜରେ ୧୦୦ ଦମ୍ପତିଙ୍କଠାରୁ ମାତ୍ର ୧୫୫ ସନ୍ତାନ ଜନ୍ମ ନେଉଛନ୍ତି। ଏହିପରି ଚାଲୁ ରହିଲେ ୨୦୫୦ ମଧ୍ୟରେ ମାହେଶ୍ୱରୀ ସମାଜ ବିଲୁପ୍ତ ହୋଇଯିବ ବୋଲି ସେ ଆଶଙ୍କା କରିଛନ୍ତି।

ମାହେଶ୍ୱରୀ ସମାଜରେ କିପରି କରାଯାଉଛି ଏମିତି ସଚେତନତା:
ଏହି ସମାଜର ୧୨ରୁ ୧୮ ବର୍ଷର ଝିଅମାନଙ୍କୁ କାଉନସେଲିଂ କରାଯାଉଛି। ଏଥିରେ ସେମାନଙ୍କୁ ଗୋଟିଏ ସନ୍ତାନର ଜନନୀ ହେଲେ କ’ଣ କ୍ଷତି ହେବ ସେ ବିଷୟରେ ଅବଗତ କରାଯାଉଛି। କୌଣସି ଦୁର୍ଘଟଣାରେ ଗୋଟିଏ ସନ୍ତାନର ମୃତ୍ୟୁ ହେଲେ ବିନା ସନ୍ତାନରେ ଜୀବନ କାଟିବା ଅପେକ୍ଷା ୩ରୁ ୪ଟି ସନ୍ତାନର ଜନନୀ ହେବା ଭଲ ବୋଲି ସେମାନଙ୍କୁ କୁହାଯାଉଛି। ଏହା ସହିତ ଝିଅମାନଙ୍କୁ ମାହେଶ୍ୱରୀ ସମାଜରେ ହିଁ ବିବାହ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି।