ସଂକଟରେ ବିହାର କଂଗ୍ରେସ: ୨୭ରୁ ୧୮ ଜଣ ବିଧାୟକ ଛାଡିପାରନ୍ତି ଦଳ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ବିହାର କଂଗ୍ରେସ ବିଧାୟକ ଦଳରେ ବିଭାଜନ ଆଶଙ୍କା ଦେଖା ଦେଇଛି। କିଛି କଂଗ୍ରେସ ବିଧାୟକ ଜେଡିୟୁରେ ସାମିଲ୍ ହେବା ସମ୍ଭାବନା ଅଛି। ବର୍ତ୍ତମାନ କଂଗ୍ରେସର ୨୭ ବିଧାୟକ ଥିବାବେଳେ ଅତିକମରେ ୧୮ ବିଧାୟକ ଜେଡିୟୁରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ଗୁଲାମ ନବୀ ଆଜାଦ, ଅହମ୍ମଦ ପଟେଲ ଓ ସିପି ଯୋଶୀ ଉପସ୍ଥିତ ଥିଲେ। ଏଥିସହ ବିହାର କଂଗ୍ରେର ବିଧାୟକ ଦଳ ନେତା ସଦାନନ୍ଦ ସିଂହ ଓ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚୌଧୁରୀଙ୍କ ବୈଠକକୁ ଡକାଯାଇଥିଲା। ବିଧାୟକମାନଙ୍କୁ ଜେଡିୟୁରେ ସାମିଲ ହେବା ପାଇଁ ରୋକିବାକୁ ଦୁଇ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଓ ଅହମ୍ମଦ ପଟେଲଙ୍କୁ ଦାୟୁତ୍ୱ ଦିଆଯାଇଛି। ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ବିହାରରେ କଂଗ୍ରେସ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। କାରଣ ମହାଗଠବନ୍ଧନରେ ଲାଲୁ ସେମାନଙ୍କୁ ସମ୍ମାନଜନକ ସ୍ଥାନ ଦେଇ ନଥିବା ବେଳେ ବିଧାନସଭା କିମ୍ବା ସାଧାରଣ ନିର୍ବାଚନରେ ମଧ୍ୟ ଆଶାନୁରୂପକ ଭାବେ ସିଟ୍ ବାଣ୍ଟି ନଥିଲେ। କିନ୍ତୁ ଏ କ୍ଷେତ୍ରରେ ନୀତିଶ କୁମାରଙ୍କ ମନୋଭାବ ସଂପୂର୍ଣ୍ଣ ଅଲଗାଥିବା କୁହାଯାଇଛି। ନିର୍ବାଚନ ବେଳେ ନୀତିଶ ପ୍ରଚାର କାମରେ ସାହାଯ୍ୟ କରିଥିବା ବେଳେ ମନ୍ତ୍ରୀମାନଙ୍କ କାର୍ଯ୍ୟରେ କଦାପି ହସ୍ତକ୍ଷେପ କରୁ ନଥିଲେ। ତେବେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି ଦଳର ବରିଷ୍ଠ ନେତା।