ତାମିଲନାଡୁ ବିଧାନସଭାରେ ଜାଲିକାଟୁ ବିଲ୍‌ ପାସ୍‌

ତାମିଲନାଡ଼ୁ: ତାମିଲନାଡୁ ବିଧାନସଭାରେ ଆଜି ଜାଲିକାଟୁ ବିଲ୍‌ ପାସ୍‌ ହୋଇଛି। ଏକ ମିନିଟ୍‌ରେ ସର୍ବସମ୍ମତି କ୍ରମେ ଏହି ବିଲ୍‌କୁ ଅନୁମୋଦନ ଦିଆଯାଇଛି। ସେପଟେ ଜାଲିକାଟୁକୁ ଆଇନ୍‌ସିଦ୍ଧ କରିବା ଦାବିରେ ତାମିଲନାଡ଼ୁରେ ଆଜି ଦିନତମାମ ଦେଖିବାକୁ ମିଳିଥିଲା ହିଂସାକାଣ୍ଡ। କିଛି ଆନ୍ଦୋଳନକାରୀ ମାରିନ୍‌ ବିଚ୍‌ ନିକଟରେ ଥିବା ଆଇସ୍‌ ହାଉସ୍‌ ଥାନା ନିକଟରେ ପୋଡ଼ାଜଳା କରିବା ସହ ପୋଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପୋଲିସ୍‌ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ଲାଠିମାଡ଼ କରିଥିଲା।

ଅମଳ ପର୍ବ ପୋଙ୍ଗଲ ଅବସରରେ ପାରମ୍ପରିକ ଷଣ୍ଢ ଦୌଡ଼ ପ୍ରତିଯୋଗିତା(ଜାଲିକାଟୁ)କୁ ୨୦୧୪ ମସିହାରେ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିଲେ। ତେବେ ଗତବର୍ଷ କେନ୍ଦ୍ର ସରକାର ପୁଣି ଏହାକୁ ଅନୁମୋଦନ ଦେବା ପରେ ପଶୁ ପ୍ରେମୀମାନେ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହାକୁ ନେଇ ଆନ୍ଦୋଳନ ଉଗ୍ର ହେଉଥିବା ଦେଖି ସୁପ୍ରିମକୋର୍ଟ ମାମଲା ଉପରେ ଶୁଣାଣିକୁ ସପ୍ତାହେ ଘୁଞ୍ଚାଇ ଦେଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି କ୍ରିଡ଼ା ଆୟୋଜନ ଲାଗି ବ୍ୟବସ୍ଥା କରିଥିଲେ।