ପୁନଃନିର୍ମାଣ ପାଇଁ ନେପାଳକୁ ଭାରତ ଦେବ ୧୦୦ କୋଟି ଡଲାର

କାଠମାଣ୍ଡୁ: ଭୂକଂପରେ ଛାରଖାର ହୋଇଯାଇଥିବା ନେପାଳକୁ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଭାରତ ୧୦୦ କୋଟି ଡଲାରର ସହାୟତା ଦେବ। ଗୁରୁବାର ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଘୋଷଣା କରିଛନ୍ତି। ଭୂକଂପ ପରେ ପୁନଃନିର୍ମାଣ ସଂପର୍କରେ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏହି ଘୋଷଣା କରିଥିଲେ। ସୁଷମାଙ୍କ ଏହି ଘୋଷଣା ସହିତ ଆସନ୍ତା ୫ ବର୍ଷରେ ଭାରତ ନେପାଳକୁ ମୋଟ‌୍‍ ୨୦୦ କୋଟି ଡଲାରର ସହାୟତା ଯୋଗାଇ ଦେବ।

ସୁଷମା ସ୍ୱରାଜ ଗତକାଲି ଠାରୁ ଯାଇ ନେପାଳରେ ପହଞ୍ଚିଥିଲେ। ଗତକାଲି ସେ ନେପାଳ ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲାଙ୍କୁ ଭେଟିଥିଲେ ଓ ଭାରତ ସବୁ ପ୍ରକାର ସାହାଯ୍ୟ କରିବ ବୋଲି କହିଥିଲେ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୟାବହ ଭୂକଂପରେ ପ୍ରାୟ ୯୦୦୦ ଲୋକ ପ୍ରାଣ ହରାଇଥିଲେ। ହଜାର ହଜାର ସଂଖ୍ୟାରେ ଘର, ମଠ, ମନ୍ଦିର ସବୁ ମାଟିରେ ମିଶିଯାଇଛି।