ବାହାଘରର ୭ ଦିନ ପରେ ସ୍ତ୍ରୀ ବିଷୟରେ କ’ଣ ଜାଣିଲେ ଏହି ଯୁବ ଚାଷୀ?…ତା’ପରେ କରି ଦେଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ପଞ୍ଜାବର ସଂଗରୁର ଗାଁରେ ଜଣେ ୨୨ ବର୍ଷୀୟ କୃଷକ ବାହା ହେବାର ସପ୍ତାହେ ପରେ ଆତ୍ମହତ୍ୟା କରି ଦେଇଛନ୍ତି। ସେ କାହିଁକି ଆତ୍ମହତ୍ୟା କଲେ ଜାଣିଲେ ଆପଣ ବି ଆବାକାବା ହୋଇଯିବେ। ନିଜ ପତ୍ନୀ ଓ ଶାଶୂଙ୍କ ଜାତି ଜାଣିବା ପରେ ସେ ଏଭଳି ଏକ ଚରମ ପଦକ୍ଷେପ ଆପଣାଇ ଥିଲେ। ପୋଲିସ୍ ତାଙ୍କ ସୁଇସାଇଡ୍‌ ନୋଟ୍‌କୁ ଜବତ କରିଛି ଓ ଏହାର ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରିଛି।

ମୃତ କୃଷକଙ୍କ ନାଁ ମନପ୍ରୀତ ସିଂହ। ସେ ଗତ ୨୧ ତାରିଖରେ ବିବାହ କରିଥିଲେ। ବାହାଘରର ସାତ ଦିନ ପରେ ସେ ହଠାତ୍ ନିଜ ଜମିକୁ ଯାଇ ସେଠାରେ ବିଷ ପିଇ ଦେଇଥିଲେ। ତାଙ୍କ ପାଖରୁ ମିଳିଥିବା ସୁଇସାଇଡ୍ ନୋଟ୍ ଅନୁଯାୟୀ ସ୍ତ୍ରୀଙ୍କ ଜାତି ସଂପର୍କରେ ଜଣାପଡ଼ିବା ପରେ ସେ ବରଦାସ୍ତ କରିପାରି ନ ଥିଲେ।

ଜଣେ ମଧ୍ୟସ୍ଥିଙ୍କ ଜରିଆରେ ତାଙ୍କର ବାହାଘର ହୋଇଥିଲା। ଏହି ବିବାହ ପାଇଁ ମଧ୍ୟସ୍ଥି ମନପ୍ରୀତଙ୍କ ପରିବାର ଠାରୁ ୪୫ହଜାର ଟଙ୍କା ନେଇଥିଲେ। ଗତ ୨୮ ତାରିଖରେ ମନପ୍ରୀତ ତାଙ୍କ ଶ୍ୱଶୁର ଘରକୁ ଯିବା ପରେ ସେ ଶାଶୂ ଓ ସ୍ତ୍ରୀଙ୍କ ଜାତି ସଂପର୍କରେ ଜାଣିପାରିଲେ। ସେଠାରୁ ଫେରିବା ପରେ ସେ ଆତ୍ମହତ୍ୟା କରି ଥିଲେ।

ପୋଲିସ କହିବା ମୁତାବକ ଯେଉଁ ଝିଅ ସହ ମନପ୍ରୀତଙ୍କ ବିବାହ ହୋଇଥିଲା ତାଙ୍କ ବାପାଙ୍କର ବହୁ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି। ତା’ପରେ ସେ ଓ ତାଙ୍କ ମା’ କେସର ନାମକ ଜଣେ ଜମିଦାରଙ୍କ ସହିତ ରହିଲେ। ମନପ୍ରୀତଙ୍କ ପାଇଁ ଏକ ସୁନ୍ଦର ଝିଅ ଖୋଜିବାକୁ ତାଙ୍କ ପରିବାର ମଧ୍ୟସ୍ଥିଙ୍କୁ କହିଥିଲେ। ଯୌତୁକ ଦରକାର ନାହିଁ ବୋଲି ମଧ୍ୟ ସେମାନେ କହିଥିଲେ। ତେବେ ଝିଅ ଦଳିତ ବୋଲି ମଧ୍ୟସ୍ଥି ଜଣଙ୍କ କହି ନ ଥିଲେ। ତାଙ୍କ ନାଁରେ ବି ପୋଲିସ୍ ମାମଲା ରୁଜୁ କରିଛି।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌