ବିଧାନସଭା ନିର୍ବାଚନ ଗୋଆରେ ୮୩% ମତଦାନ ଓ ପଞ୍ଜାବରେ ୭୦% ରୁ ଅଧିକ

ନୂଆଦିଲ୍ଲୀ: ପଞ୍ଜାବ ଗୋଆ ବିଧାନସଭା ନିର୍ବାଚନ ମତଦାନ ଆଜି ଶେଷ ହୋଇଛି। ଗୋଆରେ ୮୩ ପ୍ରତିଶତ ଏବଂ ପଞ୍ଜାବରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା କେନ୍ଦ୍ର ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ପଞ୍ଜାବରେ କାଁଭାଁ ଗଣ୍ଡଗୋଳ ଏବଂ କିଛି ସ୍ଥାନରେ ଇଭିଏମ୍‌ ମେସିନ୍‌ ଖରାପ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେଉଛି। ମଇଦାନରେ କଂଗ୍ରେସ, ଆମ୍‌ ଆଦମୀ ପାର୍ଟି ଏବଂ ଶିରୋମଣି ଅକାଳି ଦଳ-ବିଜେପି ମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି।

ନିର୍ବାଚନ ପାଇଁ ନାମାଙ୍କନ କରିଥିବା ୧୧୪୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୮୧ଜଣ ମହିଳା ଓ ଜଣେ ସମଲିଙ୍ଗୀ ପ୍ରାର୍ଥୀ ଅଛନ୍ତି। ସେହିପରି ଗୋଆରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ହେଉଛି। ତେବେ ଆପ୍‌ ଏବଂ ଏମ୍‌ଜିପି, ଜିଏସ୍‌ଏମ୍‌, ଶିବସେନା ମେଣ୍ଟ ମଧ୍ୟ ମୈଦାନରେ ଅଛନ୍ତି। ୪୦ଟି ଆସନ ପାଇଁ ଗୋଆରେ ମତଦାନ ହୋଇଛି।