ପାକିସ୍ତାନର ଏହି ସହରର ଲୋକ ୪୧ ବର୍ଷ ହେଲା ଦେଇ ନାହାନ୍ତି ଭୋଟ୍‌: ଏମାନଙ୍କୁ ମିଳିନି ମୁସଲିମ୍‌ ମାନ୍ୟତା

ଇସ୍‌ଲାମାବାଦ: ଆସନ୍ତା ୨୫ରେ ପାକିସ୍ତାନରେ କିଏ ସରକାର ଗଠନ କରିବ ସେଥିପାଇଁ ଭୋଟ୍ ହେବ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। କିନ୍ତୁ ପାକିସ୍ତାନର ଏମିତି ଏକ ସହର ରହିଛି, ଯାହାର ଅଧିବାସୀ ଦୀର୍ଘ ୪୧ ବର୍ଷ ହେଲାଣି ଭୋଟଦାନ ଅଧିକାରରୁ ଦୂରେଇ ରହିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ରାବୱା ସହରର ଲୋକଙ୍କ କ୍ଷେତ୍ରରେ ଏଭଳି ବ୍ୟତିକ୍ରମ ଘଟିଛି। ଅବଶ୍ୟ ୧୯୭୭ରେ ତତ୍କାଳୀନ ପାକ୍‌ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲୀ ଭୁଟ୍ଟୋ ଏହି ସହରବାସୀଙ୍କୁ ମୁସଲିମମାନଙ୍କ ସହ ମିଶି ଭୋଟ୍‌ ଦେବାକୁ ଅନୁମତି ଦେଇଥିଲେ। କିନ୍ତୁ ଏଠାକାର ଅଧିବାସୀ ଏଭଳି ଅନୁମତିରେ କ୍ଷୁବ୍ଧ ହେବା ସହ ଭୋଟ୍‌ଦାନରୁ ନିଜକୁ ଦୂରେଇ ରଖିଥିଲେ। ଏହି ରାବୱା ସହରର ଜନସଂଖ୍ୟା ୧ ଲକ୍ଷ ହୋଇଥିବା ବେଳେ ଏଠାରେ ୯୦% ଲୋକ ହେଉଛନ୍ତି ଅହମଦିୟା ସଂପ୍ରଦାୟର।  ଏମାନଙ୍କୁ ମୁସଲିମ ସଂପ୍ରଦାୟର ମାନ୍ୟତା ମିଳି ନଥିବାରୁ ଏମାନେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ଫଳରେ ସେମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି।

ଖାସ୍‌ ଏହି କାରଣରୁ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତାମାନେ ମଧ୍ୟ ଏହି ସହରକୁ ପ୍ରଚାର ପାଇଁ ଯାଆନ୍ତି ନାହିଁ। ସହରର କୌଣସି ସ୍ଥାନରେ ରାଜନୀତିକ ଦଳ କିମ୍ବା ରାଜନେତାଙ୍କ ଫଟୋ ଚିତ୍ର ଥିବା ବ୍ୟାନର୍‌ ଲଗାଯାଏ ନାହିଁ। ପାକିସ୍ତାନରେ ପାଖାପାଖି ୫ ଲକ୍ଷ ଅହମଦିୟା ସଂପ୍ରଦାୟର ଲୋକ ରହିଥିବା ବେଳେ ଏମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଲେ ବେଶ୍‌ ଦବଦବା ସୃଷ୍ଟି କରିପାରିବେ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। କିନ୍ତୁ ଅହମଦିୟାମାନେ ସର୍ବଦା ନିର୍ବାଚନରୁ ନିଜକୁ ଦୂରେଇ ରଖନ୍ତି। ନିର୍ବାଚନ କମିଶନ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରୁ ନାହାନ୍ତି। ପାକିସ୍ତାନର ଇସଲାମିକ୍‌ ପାର୍ଟି ଗୁଡ଼ିକ ମଧ୍ୟ ଅହମଦିୟା ସଂପ୍ରଦାୟର ବିରୋଧୀ। ଗତବର୍ଷ ଅହମଦିୟା ସଂପ୍ରଦାୟର ଲୋକମାନେ ଆଇନ୍‌ରେ ପରିବର୍ତ୍ତନ କରି ସେମାନଙ୍କୁ ମୁସଲମାନ ମାନ୍ୟତା ଦିଆଯାଉ ବୋଲି ଦାବି କରିଥିଲେ। କିନ୍ତୁ ଇସଲାମିକ୍‌ ସଂଗଠନର ଲୋକମାନେ ଏହାକୁ ବିରୋଧ କରି ସଂସଦ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ରାଜନୀତିକ ବିଶେଷଜ୍ଞଙ୍କ ମତରେ ଯଦି ଅହମଦିୟାମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯାଏ, ତା’ହେଲେ କେବଳ ପଞ୍ଜାବର ୨୦ଟି ଆସନରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାରଣ ଏଠାରେ ଇସଲାମିକ ଓ ଅହମଦିୟାଙ୍କ ସଂଖ୍ୟା ପ୍ରାୟ ସମାନ।  ପରାଧୀନ ଭାରତରେ୧୮୮୯ରେ ଅହମଦିୟା ସଂପ୍ରଦାୟର ଆର୍ବିଭାବ ହୋଇଥିଲା। ତେବେ ଏମାନ କୋରାନ୍‌ କିମ୍ବା ଅନ୍ୟ ଇସ୍‌ଲାମ ଆଇନ୍‌ରେ ବିଶ୍ୱାସ ରଖନ୍ତି ନାହିଁ। ଏମାନେ ଚପଲ ତିଆରି କରିବାଠାରୁ ଆରମ୍ଭ କରି ଗାଡ଼ି ମରାମତି କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More