ରାଷ୍ଟ୍ରପତି ନିର୍ବାଚନ: ଭାରି ହେଉଛି ଏନଡିଏ ପଲା, ବିଜେଡି ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ

ଭୁବନେଶ୍ୱର: ଏନଡିଏ ସପକ୍ଷରେ ଯାଇପାରେ ରାଷ୍ଟ୍ରପତି ନିର୍ବାଚନ ଗଣିତ।  ୱାଇଏସଆର କଂଗ୍ରେସ୍, ଟିଆରଏସ ଓ ଏଆଇଏଡିଏମକେର ବିଭାଜିତ ଗୋଷ୍ଠୀ ଏନଡିଏକୁ ସହଯୋଗ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିର୍ଣ୍ଣାୟକ ଭୂମିକା ନେଉଥିବା ଆଞ୍ଚଳିକ ଦଳଗୁଡିକ ଏନଡିଏ  ଆଡକୁ ଢଳିବା ପରେ ବିଜେଡି ପୁଣି ସମଦୂରତା କଥା ଉଠାଇଛି।   ଅର୍ଥାତ ଉଭୟ ଏନଡିଏ ଓ ୟୁପିଏର ପ୍ରାର୍ଥୀଙ୍କୁ ସମର୍ଥନ ନ କରି ଭୋଟ୍ ବେଳେ ଅନୁପସ୍ଥିତ ରହିପାରେ ବିଜେଡି। ସେପଟେ ଧିରେ ଧିରେ ଭାରି ହେଉଛି ଏନଡିଏ ପଲା । ଏନଡିଏ ଆଡକୁ ଢଳୁଛନ୍ତି ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳ।  ପ୍ରଥମେ ଜଗନ ମୋହନ ରେଡ୍ଡିଙ୍କ ଓ୍ୱାଇଏସଆର କଂଗ୍ରେସ୍ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ ଏବେ ଟିଆରଏସ ଓ ଏଆଇଏଡିଏମକେ ର ବିଭାଜିତ ଗୋଷ୍ଠୀ ବି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ସଂଙ୍କେତ ଦେଇଛନ୍ତି।

କ’ଣ କହୁଛି ଗଣିତ

ଏବେ ନଜର ପକାନ୍ତୁ ସଂଖ୍ୟା ଗଣିତ ଉପରେ।  ନିର୍ବାଚନରେ ଜିତିବାକୁ ଏନଡିଏ ପ୍ରାର୍ଥୀଙ୍କୁ ଆବଶ୍ୟକ ୫ ଲକ୍ଷ ୪୯ ହଜାର ୪୪୧ ଭୋଟ।  ୪୧୦ ଏମପି ଓ ପ୍ରାୟ ୧୬୦୦ ବିଧାୟକଙ୍କ ଭୋଟକୁ ମିଶାଇଲେ ଏନଡିଏର ଭୋଟ ହେଉଛି ୫ ଲକ୍ଷ ୩୨  ହଜାର । ଅର୍ଥାତ ମ୍ୟାଜିକ ନମ୍ବରରୁ  ୧୭ ହଜାର କମ୍‌।   କେବଳ ଓ୍ୱାଇଏସଆର କଂଗ୍ରେସ ପାଖରେ ଅଛି ୧୬ ହଜାର ଭୋଟ।  ଏଆଇଏଡିଏମକେର ଭୋଟ ହେଉଛି ୬୦ ହଜାର। ତେଣୁ ଦୁହେଁ ସମର୍ଥନ କଲେ ଏନଡିଏ ପ୍ରାର୍ଥୀ ଜିତିବା ନିଶ୍ଚିତ। ଏପରି ସ୍ଥିତିରେ ବିଜେଡିର ଭୋଟକୁ ଆଉ ଆଖେଇବନାହିଁ  ଏନଡିଏ । ତେଣୁ ଜାତୀୟ ରାଜନୀତିରେ ସମଦୂରତା ଫଣ୍ଡା ଆପଣେଇଥିବା ବିଜେଡି ଏହି ନୀତିରେ ଆଗକୁ ବଢିପାରେ।  କିନ୍ତୁ ଦଳ ଏପର୍ଯନ୍ତ ନିଷ୍ପତ୍ତି ନେଇ ନାହିଁ।  କ’ଣ କରିବ ? କାହା ଆଡକୁ ଯିବ?

ସୋନିଆଙ୍କ ରଣନୀତି

ଏପଟେ ଧର୍ମ ନିରେପେକ୍ଷତାର ଆହ୍ୱାନ ଦେଇ ଏକ୍‌ ହେବା ପାଇଁ ପ୍ରୟାସ ଚଳାଇଥିବା ଦଳଗୁଡିକ ବି ଉଦ୍ୟମ ଜାରି ରଖିଛନ୍ତି । ଏମାନଙ୍କ ନେତୃତ୍ୱ ନେଉଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ  ଗାନ୍ଧି । ସାଙ୍ଗରେ ଅଛନ୍ତି ତୃଣମୂଳ କଂଗ୍ରେସ, ଜେଡିୟୁ, ଆରଜେଡି ଓ ବାମଦଳ।  ସଂଖ୍ୟା ଗଣିତରେ ପଛରେ ଥିବା ଦଳ ଗୁଡିକ ଆଞ୍ଚଳିକ ଦଳ ଉପରେ ଭରସା କରୁଥିଲେ ବି ଏମାନଙ୍କ ସପକ୍ଷରେ ବିଜେଡି ଗ୍ରୀନ ସିଗନାଲ ଦେଇ ନ ପାରେ। ଏପରି ସ୍ଥିତିରେ ଧର୍ମନିରପେକ୍ଷତାକୁ ଅସ୍ତ୍ର କରି ମହାଗଠବନ୍ଧନର ଯୋଜନା କରୁଥିବା ଦଳ ଗୁଡିକର ପ୍ରୟାସ ଅଧୁରା ରହିପାରେ।

ଚାଲିଛି ଅଙ୍କକଷା

ଯଦିଓ ରାଷ୍ଟ୍ରପତି ନିର୍ବାଚନ ପାଇଁ  ଦେଢମାସ ସମୟ ରହିଛି । ତେବେ ସଂଖ୍ୟା ଜୁଟାଇବାରେ ଲାଗିପଡିଛନ୍ତି ଏନଡିଏ ଓ ୟୁପିଏ କ୍ୟାମ୍ପ । ବର୍ତ୍ତମାନ ସୁଦ୍ଧା ଦୁଇ ପକ୍ଷ ନିଜ ପ୍ରାର୍ଥୀ ବି ଘୋଷଣା କରିନାହାଁନ୍ତି । ତେବେ ଚର୍ଚ୍ଚା ହେଉଛି ଧର୍ମନିରପେକ୍ଷ ଦଳଗୁଡିକ ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧିଙ୍କ ନାମକୁ ଆଗକୁ ଆଣିପାରନ୍ତି । ଏପଟେ ଏନଡିଏ ପ୍ରାର୍ଥୀ ଭାବରେ ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ, ସୁଷମା ସ୍ୱାରାଜ୍‌ ଓ ଦ୍ରୌପଦୀ ମୁର୍ମୁଙ୍କ ନାଁ  ଚର୍ଚ୍ଚାରେ ଅଛି।

ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ପ୍ରତିକ୍ରିୟା

ବିଜେଡି ମୁଖପାତ୍ର ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବର୍ତ୍ତମାନସୁଦ୍ଧା ଆମେ ରାଷ୍ଟ୍ରୀୟ ରାଜନୀତିରେ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ବଜାୟ ରଖିଛୁ।  ରାଷ୍ଟ୍ରପତି ନିର୍ବାଚନ ବେଳେ ଏହି ସ୍ଥିତି ରହିବ କି ନାହିଁ ବୋଲି ପଚାରିବାରୁ ସେ ଏବେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ତାହା ଦଳୀୟ ବ୍ୟାପାର ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ, କଂଗ୍ରେସ ନେତୃତ୍ୱରେ ଧର୍ମନିରପେକ୍ଷ ଦଳ ଏକଜୁଟ ହେବାକୁ ବସିଛନ୍ତି।  ସେ ରାଷ୍ଟ୍ରପତି ନିର୍ବାଚନ ହେଉ କି ପରବର୍ତ୍ତୀ ରାଜନୈତିକ ଚିତ୍ର ହେଉ ସେଥିପାଇଁ ଭାରତୀୟ ଜନତା ପାର୍ଟି ଭୟଭୀତ ବୋଲି ସେ କହିଛନ୍ତି। ସେହିପରି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଧର୍ମନିରପେକ୍ଷ ନାମରେ ବିରୋଧୀ ପ୍ରାର୍ଥୀ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଏହା ଏକ ରାଜନୈତିକ ଚାଲବାଜି। ଏହି ଫଣ୍ଡା କେବେ ହେଲେ ବି ଚରିତାର୍ଥ ହେବ ନାହିଁ ବୋଲି ସେ କହିଛନ୍ତି।