କାମଚଳା ଡଙ୍ଗାରେ ଘରକୁ ଫେରିଲେ ବର କନିଆଁ

ଦରଭଙ୍ଗା: ବିହାରରେ ବନ୍ୟାର ପ୍ରକୋପ ଯୋଗୁ ହଟହଟା ହୋଇଛନ୍ତି ଏକ ନବ ବିବାହିତ ଦମ୍ପତି। କନ୍ୟା ଘରେ ବାହାଘର ସାରି ବର ଘରକୁ ଫେରିବା ବେଳେ ସେମାନଙ୍କୁ ଅତି ବିପଦପୂର୍ଣ୍ଣ ଭାବେ କାମଚଳା ଡଙ୍ଗାରେ ଆସିବାକୁ ପଡ଼ିଛି। ଜୀବନରୁ ସବୁଠାରୁ ବଡ଼ ଉତ୍ସବ କୁହାଯାଉଥିବା ବାହାଘର ପାଇଁ ସେମାନେ କେତେ କଣ ପରିକଳ୍ପନା କରିଥିଲେ। କିନ୍ତୁ ଏଥିରେ ବୈରୀ ସାଜିଲା ବନ୍ୟା।

ବିହାରର ଅରାଇଆ ଜିଲ୍ଲାରେ ବାହାଘର ପରେ କନିଆଁଙ୍କୁ ସାଙ୍ଗରେ ଧରି ବର ନିଜ ଘରକୁ ଫେରିବା ସମୟରେ ଏପରି ଘଟଣା ଘଟିଛି। ବରପକ୍ଷରୁ ଯାଇଥିବା ଜଣେ ବ୍ୟକ୍ତି କହିଛନ୍ତି, “ଆମେ ଡ୍ରମ୍‌ ଏବଂ କାଠ ଗଣ୍ଡି ବ୍ୟବହାର କରି ଗୋଟିଏ କାମଚଳା ଡଙ୍ଗା ତିଆରି କରିଥିଲୁ। ବନ୍ୟା ପାଣି ମାଡ଼ି ଆସି ରାସ୍ତାକୁ ବୁଡ଼େଇଦେଇଥିବାରୁ ବରର ଗାଁକୁ ସେମାନଙ୍କୁ ସେହି କାମଚଳା ଡଙ୍ଗାରେ ଯିବାକୁ ପଡ଼ିଲା”।


ସୂଚନାଯୋଗ୍ୟ, ବନ୍ୟା କାରଣରୁ ଏହି ଅଞ୍ଚଳରେ ଥିବା ବିଭିନ୍ନ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଲଗାଣ ବର୍ଷା ଯୋଗୁ ଜଳସ୍ତର ବଢ଼ିବାରେ ଲାଗିଛି। ପ୍ରଶାସନ ପକ୍ଷରୁ କିଛି ଅଧିକାରୀ ଘେରାଏ ବୁଲି ଆସିଥିଲେ ମଧ୍ୟ ସରକାରୀ ପଦକ୍ଷେପ ଶୂନ ବୋଲି ଜଣେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।