ରାହୁଲ ଜୀ ! ଆଗ ବାହା ହେବ ନା, ପ୍ରଧାନମନ୍ତ୍ରୀ ହେବା ପରେ ବାହା ହେବ ?

ନୂଆଦିଲ୍ଲୀ: ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ଓ ପ୍ରଧାନମନ୍ତ୍ରୀ ହେବାକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଛି। ହେଲେ ଏବେ ନିଜେ ରାହୁଲ ଏମିତି ଏକ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି, ଯାହା ତାଙ୍କୁ ହତବାକ୍‌ କରିଦେଇଛି। ତାଙ୍କ ବିବାହକୁ ନେଇ ଏହି ପ୍ରଶ୍ନଟି ରହିଛି। କୌଣସି ସାଧାରଣ ଲୋକ ନୁହେଁ ବକ୍ସର ବିଜେନ୍ଦର ସିଂହ ଏହି ପ୍ରଶ୍ନ କରିଛନ୍ତି। ଆଜି ରାହୁଲ ପିଏଚ୍‌ଡି ଚ୍ୟାମ୍ବର ଅଫ୍‌ କମର୍ସର ବାର୍ଷିକ ସମାରୋହରେ ଯୋଗଦେଇଥିଲେ। ଏହି ଅବସରରେ ବିଜେନ୍ଦର ରାହୁଲଙ୍କୁ ଅଜବ ପ୍ରଶ୍ନଟିଏ ପଚାରି ଦେଇଥିଲେ।

ବିଜେନ୍ଦରଙ୍କ ପ୍ରଶ୍ନ ଥିଲା “ରାହୁଲ ଜୀ ! ଆପଣ ପ୍ରଧାନମନ୍ତ୍ରୀ ହେବା ପରେ ବିବାହ କରିବେ ନା, ପ୍ରଥମେ ବିବାହ କରିବେ ?”

ଏପରି ପ୍ରଶ୍ନ ଆଶା କରୁ ନଥିବା ରାହୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଭାଗ୍ୟର ଦ୍ୱାହି ଦେଇ ଏହାକୁ ଏଡାଇ ଯାଇଥିଲେ। ରାହୁଲ କହିଥିଲେ, “ମୁଁ ଭାଗ୍ୟକୁ ବହୁତ ମାନେ। ଯେବେ ହେବ, ତେବେ ହେବ।”

ଏହି ଅବସରରେ ରାହୁଲ ନିଜ ଫିଟ୍‌ନେସ୍‌ ବିଷୟରେ କହିଥିଲେ। ସେ କହିଥିଲେ, “ଆଇକିଡୋରେ ମୁଁ ବ୍ଲକା ବେଲ୍ଟ ପାଇଛି। ଏହାସହ ମୁଁ ବ୍ୟାୟାମ କରେ, ଗୀତ ଗାଏ, ସାଇକେଲ ଚଲାଏ ଓ ଦୌଡେ ମଧ୍ୟ।”