ରାହୁଲ ଗାନ୍ଧିଙ୍କୁ ଋଣ ଦେବାକୁ ମନା କଲା ବ୍ୟାଙ୍କ, ସିମ କାର୍ଡ ବି ମିଳିଲାନି

ଇନ୍ଦୋର: ପୂର୍ବତନ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି ଭାରତୀୟ ରାଜନୀତିର ଜଣେ ବହୁ ଚର୍ଚ୍ଚିତ ନାମ। ସେ ମଧ୍ୟ ଦେଶ ବିଦେଶରେ ଏକ ପରିଚିତ ଚେହେରା। ତେବେ ରାହୁଲ ଗାନ୍ଧିଙ୍କ ନାଁରେ କେବଳ ଜଣେ ମାତ୍ର ବ୍ୟକ୍ତି ଅଛନ୍ତି, ତାହା ଭାବିବା ଭୁଲ। ହେଲେ ରାହୁଲ ଗାନ୍ଧି ନାମଧାରୀ ବ୍ୟକ୍ତିଙ୍କୁ ଏ ଦେଶରେ କେମିତି ହଇରାଣ ହେବାକୁ ପଡ଼େ, ତା’ର ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି।

ରାହୁଲ ଗାନ୍ଧି ନାମକ ଜଣେ ବ୍ୟକ୍ତି ଏକ ଉଦ୍ୟୋଗ ଆରମ୍ଭ କରିବାର ଲକ୍ଷ୍ୟ ରଖି ବ୍ୟାଙ୍କକୁ ଋଣ ଆଣିବାକୁ ଯାଇଥିଲେ। ହେଲେ ତାଙ୍କୁ ବ୍ୟାଙ୍କ ଋଣ ଦେବାକୁ ମନା କରିଦେଇଥିଲା। ଏହାପରେ ସେ ଆଉ ଗୋଟିଏ ବ୍ୟାଙ୍କକୁ ଯାଇଥିଲେ ଏବଂ ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତେବେ ଏହି ରାହୁଲ ଗାନ୍ଧି ନାମଧାରୀଙ୍କ ଯନ୍ତ୍ରଣା ଏଠାରେ ଶେଷ ହୋଇ ନଥିଲା। ସେ ସିମ୍‌ କାର୍ଡ ପାଇଁ ଯାଇଥିଲେ ହେଁ ସେଠାରେ ମଧ୍ୟ ଟେଲିକମ ଅପରେଟର ତାଙ୍କୁ ସିମ୍‌ କାର୍ଡ ମିଳିବ ନାହିଁ ବୋଲି କହିଥିଲେ।

ଏହି ରାହୁଲ ଗାନ୍ଧି ନାମକ ବ୍ୟକ୍ତି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଥିବା ଅଖଣ୍ଡ ନଗରରେ ରୁହନ୍ତି। ତାଙ୍କ ନାଁ ରାହୁଲ ଗାନ୍ଧି ହୋଇଥିବାରୁ, ସେ ବିଭିନ୍ନ ସାମଗ୍ରୀ କିଣିବା ବେଳେ ମଧ୍ୟ ବ୍ୟବସାୟୀମାନେ ତାଙ୍କୁ ବିଲ୍‌ ଦିଅନ୍ତି ନାହିଁ।

ଟେଲ କମ୍‌ କମ୍ପାନୀ ତାଙ୍କ ବଦଳରେ ତାଙ୍କ ଭାଇଙ୍କ ନାଁରେ ସିମ ନେବାକୁ ବାଧ୍ୟ ମଧ୍ୟ କରୁଛନ୍ତି। ଏଭଳି ସ୍ଥିତି ଦେଇ ଗତି କରୁଥିବା ବ୍ୟକ୍ତି ଜଣଙ୍କ ଏବେ ନିଜ ନାଁରୁ ଗାନ୍ଧି ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଥିଲେ।

ଶେଷରେ ବାଧ୍ୟ ହୋଇ ସେ ଗାନ୍ଧି ବଦଳରେ ମାଲବ୍ୟ ସାଙ୍ଗିଆକୁ ତାଙ୍କ ନାଁରେ ଯୋଡ଼ିଛନ୍ତି ଏବଂ ଫଳସ୍ୱରୂପ ତାଙ୍କୁ ଆଉ ହଇରାଣ ହେବାକୁ ପଡୁନାହିଁ।