ରାଷ୍ଟ୍ରପତିଙ୍କ ଉଦବୋଧନ ବେଳେ ମୋବାଇଲରେ ବ୍ୟସ୍ତ ଥିଲେ ରାହୁଲ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ସଦନକୁ ସମ୍ୱୋଧନ କରିବା ବେଳେ କେରଳ ଓ୍ୱାଇନାଡର ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ମୋବାଇଲ୍ ଫୋନରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ରାହୁଲଙ୍କ ପାଖରେ ତାଙ୍କ ମାଆ ତଥା ୟୁପି ରାଏବରେଲି ସାଂସଦ ସୋନିଆ ଗାନ୍ଧି ଓ ଅନ୍ୟ ସଦସ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣୁଥିବା ବେଳେ ରାହୁଲ କିନ୍ତୁ ନିଜ ମୋବାଇଲରେ ବ୍ୟସ୍ତ ଥିଲେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦକୁ ଉଦବୋଧନ ଦେଉଥିବାବେଳେ ରାହୁଲ ଗୃହ ଭିତରେ ଫଟୋ ଉଠାଇବା ସହ ମାଆ ସୋନିଆଙ୍କ ସହିତ ପାଖାପାଖି ୨୦ ମିନିଟ୍ ଧରି କଥା ହେଉଥିବାର ଦେଖିବାକୁ ମିଳିଛି।
ରାଷ୍ଟ୍ରପତି ଯେତେବେଳେ ବାଲାକୋଟ ଏୟାରଷ୍ଟ୍ରାଇକ୍ ଏବଂ ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ କହୁଥିଲେ ସେତେବେଳେ ସୋନିଆ ଗାନ୍ଧିଙ୍କ ସମେତ ସମସ୍ତ ସାଂସଦ ଡେସ୍କକୁ ବାଡ଼େଇ ସମର୍ଥନ କରିଥିଲେ। ହେଲେ ରାହୁଲ ଡେସ୍କରୁ ନିଜ ହାତ ବାହାର କରିନେଇଥିଲେ। ସୋନିଆ ରାହୁଲଙ୍କୁ ସମସ୍ତଙ୍କ ପରି ଡେସ୍କ ବାଡ଼େଇବାକୁ କହିଥିଲେ ମଧ୍ୟ ହେଲେ ରାହୁଲ ଚୁପ ରହିଥିଲେ।