ଅସୁସ୍ଥ ସୁଷମାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଆଜି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଭେଟିଥିଲେ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ।

ଏପ୍ରିଲ୍ ୨୫ ତାରିଖରୁ ସୁଷମା ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ହେଉଛି ଓ ସେ ଖୁବ୍‌ଶୀଘ୍ର ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ସୁଷମାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀଦଳ ଗଠନ କରାଯାଇଛି।

ଗତବର୍ଷ ଯେତେବେଳେ ସୁଷମା ଅସୁସ୍ଥ ଥିଲେ ସେତେବେଳେ ମଧ୍ୟ ରାହୁଲ ତାଙ୍କୁ ଭେଟି ଥିଲେ। ସେତେବେଳେ ରାହୁଲଙ୍କ ସହିତ ତାଙ୍କ ମା’ ସୋନିଆ ଗାନ୍ଧୀ ମଧ୍ୟ ସୁଷମାଙ୍କୁ ଭେଟିବାକୁ ଯାଇଥିଲେ।

ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏମ୍ସ ଯାଇ ସୁଷମାଙ୍କୁ ଭେଟିଥିଲେ। ସେ ରାତି ପ୍ରାୟ ୯ଟା ବେଳେ ସେଠାକୁ ଯାଇଥିଲେ ଓ ପ୍ରାୟ ଅଧାଘଣ୍ଟା ରହିଥିଲେ।