ରୋଜଗାର ଦେବାରେ ମୋଦି ବିଫଳ ହୋଇଛନ୍ତି: ରାହୁଲ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା କଂଗ୍ରେସ୍‌ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ମୋଦି ସରକାର ବେକାର ଯୁବକଯୁବତୀଙ୍କୁ ରୋଜଗାର ଦେବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ମେକ୍‌ ଇନ୍‌ ଇଣ୍ଡିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ରାହୁଲ ପ୍ରିନ୍ସଟୋନ୍‌ ୟୁନିଭର୍ସିଟିରେ ଛାତ୍ରଙ୍କୁ ସମ୍ବୋଧିତ କରିବା ବେଳେ ମୋଦିଙ୍କୁ ସମାଲୋଚନା କରିଛନ୍ତି। ଦେଶ ପାଇଁ ଚାକିରି ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଯେତେ ଚାକିରି ସୃଷ୍ଟି କରାଯିବା କଥା ହେଉନାହିଁ। ପ୍ରତିଦିନ ୩୦,୦୦୦ ବେକାର ଯୁବକଯୁବତୀ ବାହାରୁଛନ୍ତି। ହେଲେ ମାତ୍ର ୪୦୦ ଚାକିରି ଦିନକୁ ସୃଷ୍ଟି କରାଯାଇପାରୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ମେକ୍‌ ଇନ୍‌ ଇଣ୍ଡିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ। ମେକ୍‌ ଇନ୍‌ ଇଣ୍ଡିଆ ଜରିଆରେ ମୋଦି ସରକାର ବଡ଼ ବଡ଼ ଶିଳ୍ପକୁ ଟାର୍ଗେଟ କରୁଛନ୍ତି। ଏହା ଛୋଟ ଶିଳ୍ପ ପାଇଁ କାମ କରିବା ଦରକାର। ମେକ୍‌ ଇନ୍‌ ଇଣ୍ଡିଆକୁ ରୋଜଗାର ବଢାଇବା କାମରେ ଲଗାଯିବା ଦରକାର ବୋଲି କହିଛନ୍ତି।

ଡିଜିଟାଲାଇଜେସନ୍‌କୁ ନେଇ ରାହୁଲ କହିଛନ୍ତି, ଏହା ଏକ ଭଲ ମାଧ୍ୟମ। ହେଲେ ଏହାକୁ ଉଚିତ ସ୍ତରରେ ବ୍ୟବହାର କରାଯିବା ଉଚିତ।

ରୋଜଗାରକୁ ନେଇ ରାହୁଲ ଚିନ୍ତା ପ୍ରକଟ କରିଥିଲେ ମଧ୍ୟ ଦାରିଦ୍ର୍ୟ ହ୍ରାସ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କିଛି ବର୍ଷ ହେବ ଦେଶରୁ ଯେଉଁ ପରିମାଣରେ ଦାରିଦ୍ର୍ୟ ହ୍ରାସ ପାଇଛି ତାହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳିନାହିଁ।