ପୁଣି ସଂସଦରେ ଆଖି ମାରିଲେ ରାହୁଲ ଗାନ୍ଧି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦୀର୍ଘ ୬ ମାସ ତଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଯେତେବେଳେ ଅନାସ୍ଥା ପ୍ରସ୍ତାବ ଆସିଥିଲା, ସେତେବେଳେ କଂଗ୍ରେସ ଅଧ୍ୟକ୍ଷ ସଂସଦରେ ସାଥୀ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଖି ମାରିଥିଲେ। ଏହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା। ତେବେ ଶୁକ୍ରବାର ରାଫେଲ ଡିଲ୍‌ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଲୋକସଭାର ସଭ୍ୟମାନେ ଘମାଘୋଟ ବିତର୍କ କରୁଥିବା ବେଳେ ରାହୁଲଙ୍କ ପିଲାଳିଆମୀ ଦେଖିବାକୁ ମିଳିଛି। ସେ ପୁଣିଥରେ ସଂସଦରେ ଆଖି ମିଟିକା ମାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ଲୋକସଭା ଉପବାଚସ୍ପତି ତଥା ଏଆଇଏଡିଏମକେ ସାଂସଦ ଏମ୍‌ ଥମ୍ବିଦୁରାଇ ନିଜର ପକ୍ଷ ରଖୁଥିଲେ। ଏହି ସମୟରେ ରାହୁଲ ଗାନ୍ଧି ତାଙ୍କ ପଛରେ ବସିଥିଲେ। ଶ୍ରୀ ଥମ୍ବିଦୁରାଇ ଯେତେବେଳେ ରାଫେଲ୍‌ ଡିଲ୍‌କୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ସେତେବେଳେ ରାହୁଲ ପ୍ରଥମେ ଟେବୁଲ ବାଡ଼େଇ ଥିଲେ। ଏହାପରେ ସେ ସାଥୀ ସାଂସଦମାନଙ୍କୁ ଇଙ୍ଗିତ କରି ଆଖି ମାରିଥିଲେ। ଏହି ଘଟଣାଟି କ୍ୟାମେରାରେ କଏଦ ହେବା ପରେ ବିଜେପି ଏହାକୁ ତୀବ୍ର ନିନ୍ଦା କରିଛି। ବିଜେପି ନେତା ଅମିତ୍‌ ମାଲବ୍ୟ ଟ୍ୱିଟ୍‌ କରି ଭିଡିଓ ଜାରି କରିଛନ୍ତି।

ଜୁଲାଇ ମାସରେ ଅନାସ୍ଥା ପ୍ରସଙ୍ଗରେ ରାହୁଲ ଦୀର୍ଘ ସମୟ ଧରି ଭାଷଣ ଦେଇଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ ତାଙ୍କୁ ହଠାତ କୁଣ୍ଢାଇ ପକାଇଥିଲେ। ଏହାପରେ ସେ ନିଜ ଆସନରେ ଫେରିଆସି ବାରମ୍ବାର ଆଖି ମିଟିକା ମାରିଥିଲେ।

ଦେଖନ୍ତୁ ଆଜିର ଭିଡିଓ