ରେଳ ବିଭାଗ ଯୋଗାଇବ ଯାତ୍ରୀଙ୍କୁ ଚିକିତ୍ସା ସେବା

ମୁମ୍ୱାଇ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଷ୍ଟେସନ୍‌ରେ ଯାତ୍ରୀ ପାଇପାରିବେ ଚିକିତ୍ସା ସେବା। ଭାରତୀୟ ରେଲବାଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମୁମ୍ୱାଇର ୫ଟି ଷ୍ଟେସନରେ ଯାତ୍ରୀମାନଙ୍କୁ ମିଳିବ ଏହି ସୁବିଧା। ୧ ଟଙ୍କା ବଦଳରେ ଲୋକେ ଡାକ୍ତରଙ୍କୁ ନିଜ ସ୍ୱାସ୍ଥ୍ୟ ଦେଖାଇ ପାରିବେ। ଏଥିପାଇଁ ରେଳ ବିଭାଗ ମାଗଣାରେ ଜମି ପ୍ରଦାନ କରିବ। ଏହି ବ୍ୟବସ୍ଥା ୨ ମାସ ମଧ୍ୟରେ ଆରମ୍ଭ ହେବ।

ରେଳ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଆପତ୍ତିକାଳୀନ ସହାୟତା ପ୍ରଦାନ କରିବା ବ୍ୟତୀତ ଅନ୍ୟ ସେବା ମଧ୍ୟ ଏଠାରେ ମିଳିବ। ଏହି କ୍ଳିନ୍‌କ୍‌ରେ ଏମ୍‌ବିବିଏସ୍‌ ଡାକ୍ତର ଜଣେ ନିଯୁକ୍ତି ପାଇବେ। କ୍ଲିନିକ୍‌କୁ ସମୟେ ସମୟେ ଚର୍ମ ରୋଗ, ମଧୁମେହ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଆସିବେ।

ରେଲୱେର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“କୁର୍ଲା, ଘାଟକୋପର, ମୁଲୁଣ୍ଡ,ବଡାଲା ଓ ଦାଦର ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ହେବ। ଏହାପରେ ଆଉ ୧୫ଟି ଷ୍ଟେସନକୁ ଏହାକୁ ସମ୍ପ୍ରସାରଣ କରାଯିବ।”