ଯାତ୍ରୀଙ୍କୁ ହଇରାଣ କରି ହରଡ଼ଘଣାରେ ରେଲୱେ: ଏବେ ଗଣିବ ୭୫ ହଜାର ଟଙ୍କା , ଟିଟିଇ ବି ଗଣିବେ ତଣ୍ଡ 

ନୂଆଦିଲ୍ଲୀ:ଯାତ୍ରୀଙ୍କୁ ହଇରାଣ କରି ହରଡ଼ଘଣାରେ ରେଲୱେ। ଉପଯୁକ୍ତ ସେବା ବଦଳରେ ଜଣେ ଯାତ୍ରୀଙ୍କୁ ଠକିବା ଅଭିଯୋଗରେ ତଣ୍ଡ ଗଣିବ ରେଲୱେ। ଟଙ୍କେ କି ଦୁଇ ଟଙ୍କା ନୁହଁ ୭୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ  ରେଲୱେକୁ ନିର୍ଦ୍ଦେଶ ହୋଇଛି। ଦିଲ୍ଲୀର ଷ୍ଟେଟ କନଜ୍ୟୁମର ଡିସପୁଟସ୍‌ ରିଡ୍ରେସାଲ କମିଶନ(ଏସସିଡିଆରସି) ପକ୍ଷରୁ ରେଲୱେକୁ ଏହି ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ ଦିଲ୍ଲୀର ଭି. ବିଜୟ କୁମାର  ନାମକ ଜଣେ ବ୍ୟକ୍ତି  ୨୦୧୩ ମାର୍ଚ୍ଚ ୩୦ ତାରିଖରେ ଦକ୍ଷିନ୍‌  ଏକ୍ସେପ୍ରେସ୍‌ରେ ବିଶାଖାପାଟଣାମ-ନୂଆଦିଲ୍ଲୀକୁ ସଂରକ୍ଷଣ ଟିକେଟ କରିଥିଲେ। ବିଜୟ କୁମାର ଉକ୍ତ ଏକ୍ସେପ୍ରସ୍‌ରେ ଯାତ୍ରା ଆରମ୍ଭ କରିଥିବା ବେଳେ ମଧ୍ୟପ୍ରଦେଶର ବିଣା ଷ୍ଟେସନରେ ଆଉ ଜଣେ ବ୍ୟକ୍ତି ଉକ୍ତ ବଗିକୁ ଆସିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ବିଜୟ କୁମାର ବସିଥିବା ସିଟ୍‌କୁ ଜବରଦସ୍ତ ଅକ୍ତିଆର କରିନେଇଥିଲେ।

ବିଜୟ କୁମାର ସମ୍ପୃକ୍ତ ବ୍ୟକ୍ତି ଜଣକକୁ ଉଠିଯିବାକୁ କହିଥିବା ବେଳେ ସେ ଉଠି ନ ଥିଲେ। ବରଂ ବାଟସାରା ତାଙ୍କୁ ହଇରାଣ କରିଥିଲେ। ଏପରିକି ସହଯାତ୍ରୀଙ୍କୁ ମଧ୍ୟ ଅଜଥା ହଇରାଣ କରିଥିଲେ। ପରେ ଏ ସମ୍ପର୍କରେ ଅଭିଯୋଗ ପାଇଁ ଭିଜୟ ଟିଟିଇଙ୍କୁ ଖୋଜିଥିଲେ। ହେଲେ କୌଣସି ଅଧିକାରୀଙ୍କ ଦେଖା ମିଳି ନ ଥିଲା। ପରେ ବିଜୟ କୁମାର ଜିଲ୍ଲା ଫୋରମ ନିକଟରେ ମାମଲା ଦାୟର କରିଥିଲେ। ଆବେଦନରେ ରେଲୱେ କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ।

ମାମଲାର ଚୂଡ଼ାନ୍ତ ଶୁଣାଣି ପରେ ଜିଲ୍ଲା ଫୋରମ ରେଲୱର ଭୁଲ ଥିବା ଦର୍ଶାଇ ୭୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।  ତେବେ ଏହି ରାୟ ବିରୋଧରେ ରେଲୱେ ଦିଲ୍ଲୀର ଷ୍ଟେଟ କନଜ୍ୟୁମର ଡିସପୁଟସ୍‌ ରିଡ୍ରେସାଲ କମିଶନଙ୍କ ନିକଟରେ ଆବେଦନ କରିଥିଲା। କମିଶନ ଚୂଡ଼ାନ୍ତ ଶୁଣାଣି କରି ଜିଲ୍ଲା ଫୋରମ ଦେଇଥିବା ରାୟକୁ ବଳବତ୍ତର ରଖିଛନ୍ତି। ଉକ୍ତ ବଡିର ସଭାପତି ତଥା ଜଷ୍ଟିସ ବିଣା ବିରବଲ୍‌ କହିଛନ୍ତି ଯେ, ଜିଲ୍ଲା ଫୋରମ ଦେଇଥିବା ରାୟ ଯୁକ୍ତିଯୁକ୍ତ। ଏଥିସହ ଘଟଣାଦିନ ଦାୟିତ୍ୱରେ ଥିବା ଟିଟିଇଙ୍କ ଠାରୁ ୭୫ ହଜାର ଟଙ୍କାର ଏକ ତୃତୀୟାଶଂ ଜରିମାନା ଆଦାୟ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।