୩୦୧୩ ମସିହାର ଟିକେଟ୍ ଦେଇଥିଲା ରେଲୱେ , ବାଟରେ ଓହ୍ଲାଇ ଦେଲା ଟିଟିଇ, କ’ଣ ରାୟ ଦେଲେ କୋର୍ଟ ଜାଣନ୍ତୁ  

ମିରଟ୍‌: ନିଜ ଭୁଲ ପାଇଁ ଯାତ୍ରୀଙ୍କୁ ହଇରାଣ କରି ଏବେ ହରଡ଼ଘଣାରେ ରେଲୱେ। ଟିକେଟରେ ଭୁଲ ତାରିଖ ପ୍ରିଣ୍ଟ ହୋଇଥିବା ବେଳେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଟିଟିଇ ଟ୍ରେନ୍‌ରୁ ଓହ୍ଲାଇ ଦେବା ମହଙ୍ଗା ପଡ଼ିଛି। ଏନେଇ ସମ୍ପୃକ୍ତ ଯାତ୍ରୀ ଜଣକ ଖାଉଟି ଅଦାଲତରେ ଦ୍ୱାରସ୍ଥ ହେବା ପରେ ଅଦାଲତ ରେଲୱେକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଉତ୍ତରପ୍ରଦେଶର ସାହାରନପୁର ଖାଉଟି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି

ଅଭିଯୋଗ ଅନୁଯାୟୀ, ବିଷ୍ଣୁକାନ୍ତ ଶୁକ୍ଲା ନାମକ ଜଣେ ଅବସରପ୍ରାପ୍ତ ପ୍ରଫେସର ହିମଗିରି ଏକ୍ସପ୍ରେସ୍‌ରେ ଯାତ୍ରା ପାଇଁ ଟିକେଟ ବୁକିଂ କରିଥିଲେ। ୨୦୧୩ ନଭେମ୍ବର ୧୯ରେ ସେ  ସାହରାନ୍‌ପୁରରୁ ଜୈନପୁରକୁ ହିମଗିରି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ। ତେବେ ବାଟରେ ମୁରାଦାବଦରେ  ଟିଟିଇ ଆସି ଟିକେଟ ଚେକ୍‌ କରିବା ବେଳେ ଫେକ୍‌ ଟିକେଟ ଦେଖି ଜରିମାନା ମାଗିଥିଲେ। ହେଲେ ବିଷ୍ଣୁକାନ୍ତ ଜରିମାନା ନ ଦେବାରୁ ତାଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଦେଇଥିଲେ ଟିଟିଇ। ଉକ୍ତ ଟିକେଟରେ  ତାରିଖ ଥିଲା ୧୯-୧୧-୩୦୧୩।  ରେଲୱେ ପକ୍ଷରୁ ଏମିତି ତାରିଖ ଭୁଲ କରାଯାଇଥିବା ବେଳେ ଟିଟିଇ କିନ୍ତୁ ଓଲଟା ବିଷ୍ଣୁକାନ୍ତଙ୍କୁ ଓହ୍ଲାଇ ଦେଇଥିଲେ।

ବିଷ୍ଣୁ କହିଛନ୍ତି,“ମୁଁ ସାହରାନପୁର ଜେଭି ଜୈନ ଡିଗ୍ରୀ କଲେଜରୁ ହିନ୍ଦୀ ବିଭାଗରୁ ଶିକ୍ଷକ ଭାବେ ଅବସର ନେଇଛି। ମୋର ଗୋଟେ ଆତ୍ମସମ୍ମାନ ଅଛି। ମୁଁ ଫେକ୍‌ ଟିକେଟରେ ଯାତ୍ରା କରି ନ ଥିଲି। କିନ୍ତୁ ଟିଟିଇ ମତେ ସର୍ବସମ୍ମୁଖରେ ଅପମାନ କରିଥିଲେ। ଆଉ ୮୦୦ ଟଙ୍କାର ଜରିମାନା ଦାବି କରିଥିଲେ। କିନ୍ତୁ ମୁଁ ଜରିମାନା ନ ଦେବାରୁ ମତେ ଟିଟିଇ ଓହ୍ଲାଇ ଦେଇଥିଲା ସେଦିନ ମୋର ଗୋଟିଏ ଜରୁରୀ ଯାତ୍ରା ଥିଲା। ମୋର ବନ୍ଧୁଙ୍କ ପତ୍ନୀଙ୍କ ମୃତ୍ୟୁ ଯୋଗୁ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଯାଇଥିଲି। ହେଲେ ମତେ ବାଟରେ ଟିଟିଇ ବାହାର କରିଦେବାରୁ ମତେ ଖୁବ୍ ବାଧିଥିଲା।  ତେଣୁ ମୁଁ ବାଧ୍ୟ ହୋଇ ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲି। ଏହି ମାମଲାରେ ମଙ୍ଗଳବାର କୋର୍ଟ ଚୂଡ଼ାନ୍ତ ଶୁଣାଣି କରି ରେଲୱେକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।”

ସୌଜନ୍ୟ: ଟାଇମସ୍‌ ଅଫ ଇଣ୍ଡିଆ