ରେଲ୍‌ୱେକୁ ଚୋରି ଭୟ:ବଦଳିଲା ପା‌ଇଖାନା, ବଦଳିଲାନି ଚେନ୍‌ ବନ୍ଧା ମଗ୍‌

ନୂଆଦିଲ୍ଲୀ: ବଦଳୁଛି ଭାରତୀୟ ରେଳର ରୂପ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଲ୍‌ୱେ ପକ୍ଷରୁ ଟ୍ରେନ୍‌ଗୁଡ଼ିକର ଉନ୍ନତିକରଣ କରାଯାଉଛି। ଏହି କ୍ରମରେ ଟ୍ରେନ୍‌ଗୁଡ଼ିକରେ ଟଏଲେଟ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆରମ୍ଭ ହୋଇଛି। ପୂର୍ବରୁ ଥିବା ପୁରୁଣା ପାଇଖାନାକୁ ବଦଳାଯାଇ ବାୟୋ ଟଏଲେଟ୍‌ ଲଗାଯାଉଛି। ଏହି ଟଏଲେଟ୍‌ ଉଭୟ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ବେଶ୍‌ ଉପଯୋଗୀ। ଇତିମଧ୍ୟରେ ପ୍ରାୟ ୨ ଲକ୍ଷ ବାୟୋ ଟଏଲେଟ୍‌ ଲଗା ସରିଛି। ହେଲେ ଟଏଲେଟ୍‌ରେ ଥିବା ପୁରୁଣା ଚେନ୍‌ ବନ୍ଧା ଷ୍ଟିଲ୍‌ ମଗ୍‌କୁ ବଦଳା ଯାଉନି।

ରେଲୱେର କହିବା ଅନୁଯାୟୀ ଚୋରି ହୋଇଯିବାର ଆଶଙ୍କା ଥିବାରୁ ଚେନ୍ ବନ୍ଧା ମଗ୍ ବ୍ୟବସ୍ଥାକୁ ବଦଳାଯାଇ ନାହିଁ। ଖାଲି ମଗ୍‌ ନୁହେଁ, ଟ୍ରେନ୍‌ରୁ ସିଲିଂ ଫ୍ୟାନ୍‌, ସାୱାର ହେଡ୍‌ ଓ ବେଡ୍‌ କପଡ଼ା ଆଦି ଚୋରି ହେଉଛି। ୨୦୧୭-୧୮ ମସିହାରେ ଆରପିଏଫ୍‌ ପକ୍ଷରୁ ବିପୁଳ ପରିମାଣର ସିଲିଂ ଫ୍ୟାନ୍‌ ସମେତ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଥିଲା। ଏହାର ମୂଲ୍ୟ ୨.୯୭ କୋଟି ଟଙ୍କା ହେବ। ତେଣୁ ଟଏଲେଟ୍‌ରେ ଚେନ୍ ବନ୍ଧା ମଗ୍‌ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ରେଲ୍‌ୱେ ପକ୍ଷରୁ କୁହାଯାଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଟ୍ରେନ୍‌ଗୁଡ଼ିକରେ ୮୦ ହଜାର ବାୟୋ ଟଏଲେଟ୍‌ ଲଗାଯିବ ବୋଲି ରେଲ୍‌ୱେ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ମାର୍ଚ୍ଚ ୨୦୧୮ ସୁଦ୍ଧା ୧ ଲକ୍ଷ ୨୫ ହଜାର ବାୟୋ ଟଏଲେଟ୍‌ ଲଗା ସରିଛି। ସରକାର ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟ ଅନୁଯାୟୀ ୨୦୧୧ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ୱାଲିୟର-ବାରଣସୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ରେ ୫୭ଟି ବାୟୋ ଟଏଲେଟ୍‌ ଲଗାଯାଇଥିଲା।