ରେନ୍‌କୋଟ୍‌ ପିନ୍ଧା କଟାକ୍ଷକୁ ନେଇ ମୋଦିଙ୍କୁ ସମର୍ଥନ ଦେଲେ ଅମୀତ

ଟିହରୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା କଟାକ୍ଷକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା ସମର୍ଥନ କରିଛନ୍ତି। ଏହାସହ ସେ କହିଛନ୍ତି,“ଗତକାଲି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ସତ କହିଛନ୍ତି। ୟୁପିଏ ଶାସନ କାଳରେ ଯେତେ ଘୋଟାଲ ହୋଇଛି ଏଥିପାଇଁ କଂଗ୍ରେସ ଓ ପ୍ରଧାନମନ୍ତ୍ରୀ ଦାୟୀ।” ଉତ୍ତରାଖଣ୍ଡର ଟିହରୀରେ ଆୟୋଜିତ ଏକ  ରାଲିରେ ଉଦ୍‌ବୋଧନ ଦେଇ ଶାହା ଏହା କହିଛନ୍ତି।

ସେ ଅହୁରି କହିଛନ୍ତି,“ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ରାହୁଲ ମୋଦିଙ୍କ ଉପରେ ‘ଖୁନ୍‌ କି ଦଲାଲି’ ଆରୋପ ଲଗାଇଥିଲେ। ଏହି କଥାକୁ ସେ ଭୁଲି ଗଲେଣି ବୋଧେ? ସବୁବେଳେ ରାହୁଲ କହି ବୁଲନ୍ତି ଅଢ଼େଇ ବର୍ଷରେ ମୋଦି ସରକାର କ’ଣ କରିଛି। ମୁଁ ପଚାରିବାକୁ ଚାହେଁ ଗତ ଅଢ଼େଇ ବର୍ଷରେ ଉତ୍ତରାଖଣ୍ଡରେ କଂଗ୍ରେସର ହରିଶ ରାୱତଙ୍କ ସରକାର କ’ଣ କରିଛି।”

ଗତକାଲି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦି ମନମୋହନ ସିଂହଙ୍କୁ ଆକ୍ଷେପ କରି କହିଥିଲେ,“ବାଥ୍‌ରୁମ୍‌ରେ ରେନକୋଟ୍‌ ପିନ୍ଧି କେମିତି ଗାଧୋଇବାକୁ ହୁଏ ସେ କଳା ମନମୋହନଙ୍କଠାରୁ ଶିଖିବାର ଅଛି।”