ଶରଦ ଯାଦବଙ୍କ ‘ମୋଟୀ’ ତାତ୍ସଲ୍ୟକୁ ନେଇ ରାଗିଗଲେ ବସୁନ୍ଧରା, କହିଲେ ଏମିତି କଥା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମୋଟାପଣକୁ ନେଇ ଶରଦ ଯାଦବଙ୍କ ତାତ୍ସଲ୍ୟକୁ କଡ଼ା ସମାଲୋଚନା କରିବା ସହିତ ଏହା ସମଗ୍ର ମହିଳା ଜାତି ପ୍ରତି ଅପମାନ ବୋଲି କହିଛନ୍ତି ବସୁନ୍ଧରା।

ସେ ଝଲ୍‌ୱାର୍‌ର ଝଲରାପଟନ୍‌ ବିଧାନସଭା ନିର୍ବାଚନମଣ୍ଡଳୀଠାରେ ଭୋଟ୍‌ ଦେବାପରେ ପ୍ରତିକ୍ରିୟା ରଖି କହିଛନ୍ତି, “ସେ ଆମ ପରିବାର ସହିତ ସବୁବେଳେ ନିକଟତର ରହିଆସିଥିଲେ, ତେଣୁ ଏହାଠାରୁ ଦୁଃଖଦ ଘଟଣା କିଛି ନହୋଇପାରେ। ଯୁବବର୍ଗ କ’ଣ ଏଭଳି ଘଟଣାରୁ ଶିଖିବେ? ଏହା କ’ର ସେମାନଙ୍କ ପାଇଁ ଉଦାହରଣ ହେବ। ମୁଁ ଅପମାନିତ। ଏହା ସମଗ୍ର ମହିଳାଙ୍କ ପାଇଁ ଅପମାନ।”

ସେ ନିର୍ବାଚନ କମିଶନରଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏହା ପୂର୍ବରୁ ବିହାରର ନେତା ଶରଦ ଯାଦବ ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ବସୁନ୍ଧରା ରାଜେଙ୍କୁ ଆକ୍ଷେପ କରି କହିଥିଲେ, “ବସୁନ୍ଧରାଙ୍କୁ ଆରାମ ଦିଅ, ଥକି ଗଲେଣି, ବହୁତ ମୋଟୀ ହୋଇଗଲେଣି, ଆଗରୁ ପତଳା ଥିଲେ।”

କିନ୍ତୁ ପରେ ଯାଦବ ଏହାର ସ୍ପଷ୍ଟୀକରଣ ରଖି କହିଛନ୍ତି, “ଏହା ଜୋକ୍‌ ଥିଲା। ତାଙ୍କ ସହିତ ଏବଂ ତାଙ୍କ ପରିବାର ସହିତ ମୋର ସମ୍ପର୍କ ଭଲ। ଏହା କୌଣସି ପ୍ରକାରେ ମଧ୍ୟ ଅପମାନଜନକ ମନ୍ତବ୍ୟ ନୁହେଁ। ତାଙ୍କୁ ଆଘାତ ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନଥିଲା।

ଏହି ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ସଚିନ୍ ପାଇଲଟ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “କେଉଁ ଆଧାରରେ ସେ ମହିଳାଙ୍କୁ ଅପମାନ ହୋଇଥିବା କଥା କହୁଛନ୍ତି। ବସୁନ୍ଧରା ରାଜେଙ୍କ ଶାସନକାଳରେ ମହିଳାଙ୍କୁ ଦିର୍ଯାତନାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ରାଜସ୍ଥାନ ଭାରତର ଅପରାଧ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି।”