ଫୋନ୍‌ରେ ଗେମ୍‌ ଖେଳୁଥିଲେ: ହଠାତ୍‌ ଚୁଡ଼ି ଓ ମଙ୍ଗଳସୂତ୍ର ପିନ୍ଧି କଲେ ଆତ୍ମହତ୍ୟା

ଜୟପୁର: ସ୍କୁଲ୍‌ରେ ପଢ଼ୁଥିବା ଛୋଟଛୋଟ ପିଲାମାନେ ବିଭିନ୍ନ ମୋବାଇଲ୍‌ ଗେମ୍‌ ମାୟାରେ ପଡ଼ିଯାଉଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ବାପାମା’ଙ୍କ ଲାଗି କାଠିକର ପାଠ ହୋଇଯାଉଛି। ବହୁ ସମୟରେ ଏହି ଗେମ୍‌ ନିଶା ସେମାନଙ୍କ ଜୀବନ ନେଇ ଯାଉଛି। ‘ବ୍ଲୁ ହ୍ୱେଲ’ ପରି ଗେମ୍‌ ମାୟାରେ ପଡ଼ି ପୂର୍ବରୁ ଅକାଳରେ ବହୁ ଜୀବନ ଚାଲିଯାଇଥିବା ବେଳେ ପୁଣି ଏପରି ଏକ ଘଟଣା ଘଟିଛି ରାଜସ୍ଥାନର କୋଟାରେ।

ଏଠାରେ ଜଣେ ୧୨ ବର୍ଷୀୟ ବାଳକ ମୋବାଇଲ୍‌ରେ ଗେମ୍‌ ଖେଳୁ ଖେଳୁ ବାଥରୁମ୍‌ରେ ପଶି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା, ବାଳକ ଜଣଙ୍କ ବେକରେ ମଙ୍ଗଳସୂତ୍ର ଏବଂ ହାତରେ ଚୁଡ଼ି ପିନ୍ଧିଥିଲେ।

ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ସେ ବାଥ୍‌ରୁମ୍‌ରୁ ନ ବାହାରିବାରୁ ପରିବାର ଲୋକେ କବାଟ ବାଡ଼େଇ ଥିଲେ। ହେଲେ ସେ କବାଟ ଖୋଲି ନଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଦେଇଥିଲେ। ବାଥରୁମ୍‌ରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇ ସେମାନେ ବିଶ୍ୱାସ କରି ପାରି ନଥିଲେ।

ପରିବାର ଲୋକେ କହିଛନ୍ତି, ସେ ପ୍ରାୟତଃ ମୋବାଇଲରେ ଗେମ୍ ଖେଳୁଥିଲେ। ଏହି ଗେମ୍ ହିଁ ତାଙ୍କ ଜୀବନ ନେଇଛି।

ପୁଲିସ୍‌ କହିଛି, ପିଲାଟି ମୋବାଇଲ୍‌ରେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳୁଥିଲା। କିନ୍ତୁ ସେ କେଉଁ ଗେମ୍‌ ଖେଳୁଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏନେଇ ତଦନ୍ତ ଚାଲିଛି।

ଏଭଳି ଘଟଣା କୋଟାରେ ପ୍ରଥମ ଥର ପାଇଁ ଘଟିଛି ବୋଲି କୁହାଯାଉଛି। ସେହିପରି ଏହି ଖବର ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଯେଉଁ ପିଲାମାନଙ୍କୁ ମୋବାଇଲ୍‌ରେ ଗେମ୍ ଖେଳିବା ନିଶା ଲାଗିଛି, ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।