ଝିଅ ବାହାଘର ପାଇଁ ପାରୋଲରେ ବାହାରିଲେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଭେଲୋର ଜେଲ୍‌ରେ ଆଜୀବନ ସଜା କାଟୁଥିବା ନଳିନୀ ଶ୍ରୀହରନ ପାରୋଲରେ ବାହାରିଛନ୍ତି। ତାଙ୍କ ଝିଅର ବାହାଘର ପାଇଁ ସେ ପାରୋଲରେ ବାହାରିଛନ୍ତି। ମାଡ୍ରାସ ହାଇକୋର୍ଟ ଏ ନେଇ ଅନୁମତି ଦେଇଛନ୍ତି। ତେବେ ଏହି ପାରୋଲ ଅବଧି ବେଳେ ନଳିନୀ ଭେଲୋର ବାହାରକୁ ଯାଇ ପାରିବେ ନାହିଁ କି କୌଣସି ନେତା ଓ ମିଡିଆରେ କଥା ହୋଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଝିଅ ଲଣ୍ଡନରେ ଡାକ୍ତରୀ ପଢୁଥିବା ଜଣାପଡ଼ିଛି।

ନଳିନୀ ଗତ ବର୍ଷ ମଧ୍ୟ ମାସେ ପାଇଁ ପାରୋଲରେ ଆସିଥିଲେ। ସେତେବେଳେ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଥିଳା। ନଳିନୀଙ୍କ ସ୍ୱାମୀ ମୁରୁଗନ ମଧ୍ୟ ସମାନ ଅଭିଯୋଗରେ ଦଣ୍ଡିତ ହୋଇ ଭେଲୋର ଜେଲରେ ଦୀର୍ଘ ୨୮ ବର୍ଷ ହେବ ସଜା କାଟୁଛନ୍ତି।

ନଳିନୀଙ୍କୁ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାରେ ପ୍ରଥମେ ଫାଶୀଦଣ୍ଡାଦେଶ ହୋଇଥିଲା। କିନ୍ତୁ ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ୨୦୦୦ ମସିହା ଏପ୍ରିଲ୍ ୨୪ ତାରିଖରେ ଫାଶୀଦଣ୍ଡାଦେଶକୁ ଆଜୀବନ  ଜେଲ୍‌ରେ ପରିଣତ କରାଯାଇଥିଲା ।