ରାଜନାଥଙ୍କ ବିରୋଧରେ ସିପିଏମ୍ ସାଂସଦଙ୍କ ମନ୍ତବ୍ୟକୁ ନେଇ ଲୋକସଭା ଅଚଳ

ନୂଆଦିଲ୍ଲୀ: ଅସହିଷ୍ଣୁତା ପ୍ରସଙ୍ଗକୁ ନେଇ ସୋମବାର ସଂସଦରେ ଦେଖାଯାଇଥିଲା ତାତି।  ଯଦି ଦେଶରେ ଅସହିଷ୍ଣୁତା ବଢୁଛି ବୋଲି ବିରୋଧୀ ଅନୁଭବ କରୁଛନ୍ତି, ତେବେ ଏହାର ସମାଧାନ ଲାଗି ସରକାରଙ୍କୁ ପରାମର୍ଶ ଦେଇପାରିବେ ବୋଲି ଆଲୋଚନା ଆରମ୍ଭରେ କହିଥିଲେ ଗୃହମନ୍ତ୍ରୀ ରାଜନାଥ ସିଂହ। ତେବେ ସିପିଏମ୍ ସାଂସଦ ମହମ୍ମଦ ସଲିମ୍ ରାଜନାଥଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଗୃହରେ ଅଚଳାବସ୍ଥା ଦେଖା ଦେଇଥିଲା। ୮ଶହ ବର୍ଷ ପରେ ଭାରତରେ ଜଣେ ହିନ୍ଦୁ ଶାସକ ଆସିଥିବା ରାଜନାଥ ଏକ ମାଗାଜିନକୁ ସାକ୍ଷାତକାରରେ କହିଥିବା ସଲିମ୍ ଅଭିଯୋଗ କରିଥିଲେ। ତେବେ ରାଜନାଥ ଏହାକୁ ଖଣ୍ଡନ କରିବା ସହ ଏଭଳି ମନ୍ତବ୍ୟ ଦ୍ୱାରା ସେ ମର୍ମାହତ ବୋଲି କହିଥିଲେ। ଅନ୍ୟପକ୍ଷରେ ସଲିମ୍ ନିଜ ମନ୍ତବ୍ୟ ଫେରାଇ ନିଅନ୍ତୁ ବୋଲି ବିଜେପି ସଦସ୍ୟ ଦାବି କରିଥିଲେ। ଏହାକୁ ନେଇ ହଟ୍ଟଗୋଳ ଲାଗି ରହିବାରୁ ଗୃହ ଚାଲିପାରିନଥିଲା।

ଏହି ପ୍ରସଙ୍ଗକୁ ନେଇ ଗୃହରେ ତର୍କବିତର୍କ ଲାଗି ରହିଥିଲା। ଜଣେ ସଦସ୍ୟଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ ପୂର୍ବରୁ ନିୟମ ଅନୁସାରେ ପ୍ରଥମେ ନୋଟିସ୍ ଦେବା ଉଚିତ୍ ବୋଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ। ତେବେ ଗୃହମନ୍ତ୍ରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିସାରିଥିବାରୁ ସିପିଏମ୍ ସାଂସଦ ମହମ୍ମଦ ସଲିମ ନିଜ ମନ୍ତବ୍ୟ ପ୍ରତ୍ୟାହର କରିବା ଆବଶ୍ୟକ ନାହିଁ ବୋଲି କଂଗ୍ରେସର ବୀରପ୍ପା ମୋଇଲି ଯୁକ୍ତି ଦର୍ଶାଇଥିଲେ।

ଅସହିଷ୍ଣୁତା ପ୍ରସଙ୍ଗକୁ ନେଇ ଗୃହରେ ସରକାରଙ୍କୁ ଟାର୍ଗେଟ୍ କରିଥିବା କଂଗ୍ରେସ ଗୃହ ବାହାରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲା। ଯୁବକଂଗ୍ରେସ କର୍ମୀମାନେ ପାର୍ଲାମେଣ୍ଟ ଷ୍ଟ୍ରିଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।