ଦିଆଯିବ କି ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ: ସୋନିଆଙ୍କ ଶରଣ ପଶିଲା ବିଜେପି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ତତ୍ପରତା ଦେଖାଇଛି ବିଜେପି। ଅରୁଣ ଜେଟଲୀ, ରାଜନାଥ ସିଂ ଓ ଭେଙ୍କେୟା ନାଇଡ଼ୁଙ୍କ ଭଳି ବରିଷ୍ଠ ନେତାଙ୍କୁ ନେଇ ଗଠନ କରିଛି କମିଟି। ଏହି କମିଟି ସର୍ବ ସମ୍ମତିକ୍ରମେ ରାଷ୍ଟ୍ରପତି ନିର୍ବାଚିତ କରିବାକୁ ସମସ୍ତ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିବେ। ତେବେ ଆଜି ଦିଲ୍ଲୀର ୧୦ ଜନପଥରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ୨ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭେଙ୍କେୟା ନାଇଡ଼ୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସର୍ବୋଚ୍ଚ ପଦରେ ସର୍ବସମ୍ମତିକ୍ରମେ ଜଣେ ପ୍ରାର୍ଥୀଙ୍କୁ ବସାଇବା ନେଇ ଆଲୋଚନା କରିଛନ୍ତି ଏହି ଦୁଇ ମନ୍ତ୍ରୀ। ତେବେ ଆଲୋଚନାରେ ବିଜେପି ରାଷ୍ଟ୍ରପତି ପଦ ପାଇଁ ନିଜ ଆଡୁ କୌଣସି ନାଁ ପ୍ରସ୍ତାବ ରଖିନାହିଁ। ବରଂ କଂଗ୍ରେସ ଅଧ୍ୟକ୍ଷାଙ୍କୁ ପସନ୍ଦର ପ୍ରାର୍ଥିଙ୍କ ନାଁ ଦେବାକୁ କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଆଲୋଚନା ପରେ ପ୍ରାର୍ଥିତ୍ୱ ନେଇ କୌଣସି ସହମତି ହୋଇ ପାରିନାହିଁ ବୋଲି କହିଛନ୍ତି ଗୁଲାମନବୀ ଆଜାଦ।