ଟ୍ରପିଲ ତଲାକ ବିଲ୍‌ର ଆଜି ରାଜ୍ୟସଭା ଟେଷ୍ଟ୍‌

ନୂଆଦିଲ୍ଲୀ: ମୁସଲିମ ଧର୍ମରେ ପ୍ରଚଳିତ ଇନ୍‌ଷ୍ଟାଣ୍ଟ ତଲାକ ବା ଟ୍ରପିଲ ତଲାକ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ମୋଦି ସରକାରଙ୍କ ବହୁ ପ୍ରତୀକ୍ଷିତ ବିଲ୍‌ ଆଜି ରାଜ୍ୟସଭାରେ ଆଗତ ହୋଇଛି। ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ପାସ୍‌ ହୋଇ ସାରିଛି।

ବିଜେପି ଲୋକସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ସରକାର ଏହାକୁ ପାସ୍‌ କରାଇବାରେ ସକ୍ଷମ ହୋଇଥିଲେ। ହେଲେ ରାଜ୍ୟସଭାରେ ଏହା କେମିତି ପାସ୍‌ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପୂର୍ବରୁ ମଧ୍ୟ ଏକାଧିକ ଥର ଟ୍ରିପଲ ତଲାକ ବିଲ୍‌ ରାଜ୍ୟସଭାରେ ପାସ୍‌ ହୋଇପାରି ନଥିଲା। କିନ୍ତୁ ଏଥର ମୋଦି ସରକାର ଏହାକୁ ପାସ୍‌ କରାଇବାରେ ସକ୍ଷମ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି। କାରଣ ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିଲେ ହେଁ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନରେ ମୋଦି ସରକାର ଆରଟିଆଇ ସଂଶୋଧନ ବିଲ୍‌କୁ ପାସ୍‌ କରାଇବାରେ ସକ୍ଷମ ହୋଇଥିଲେ। ତେଣୁ ଆଜି ମଧ୍ୟ କେନ୍ଦ୍ର ସରକାର ଟ୍ରିପଲ ତଲାକ ବିଲ୍‌କୁ ପାସ୍‌ କରାଇବେ ବୋଲି ଆଶା କରିଛନ୍ତି।

ଏହି ବିଲ୍‌କୁ ପୂର୍ବରୁ ବିଜେଡି, ୱାଇଏସ୍‌ଆର କଂଗ୍ରେସ ଓ ଟିଆରଏସ୍‌ ଭଳି ଦଳ ବିରୋଧ କରୁଥିଲେ। ହେଲେ ଏବେ ଏହି ଦଳ ଗୁଡ଼ିକ ବିଲ୍‌କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। କେବଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ଓ ବିଏସ୍‌ପି ଭଳି ଦଳ ଏହାକୁ ବିରୋଧ କରୁଛନ୍ତି।

ଆଜି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ରିପଲ ତଲାକ ବିଲ୍‌ ଆଗତ କରିଥିଲେ। ସେ କହିଥିଲେ, ଲିଙ୍ଗଗତ ନ୍ୟାୟ ପ୍ରଦାନ ପାଇଁ ଏହି ବିଲ୍‌କୁ କେନ୍ଦ୍ର ସରକାର ଆଇନ୍‌ରେ ପ୍ରରିଣତ କରିବାକୁ ଚାହୁଁଛନ୍ତି। ବିଶ୍ୱର ମୁସଲିମ ବହୁଳ ରାଷ୍ଟ୍ରଗୁଡ଼ିକରେ ଏଭଳି ପ୍ରଥାକୁ ଉଚ୍ଛେଦ କରାଯାଇଛି। ଯଦି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ତା’ହେଲେ ଟ୍ରପିଲ ତଲାକ ବ୍ୟବସ୍ଥା ଏଠାରେ ବନ୍ଦ ହେବା ଦରକାର। ସୁପ୍ରିମକୋର୍ଟ ମଧ୍ୟ ୨୦୧୭ରୁ ଟ୍ରିପଲ ତଲାକ ପ୍ରଥାକୁ ବନ୍ଦ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ୩୪୫ଟି ଟ୍ରିପଲ ତଲାକ ମାମଲା ସାମ୍ନାକୁ ଆସିଛି।

ମୁସଲିମ୍‌ ଧର୍ମରେ ଜଣେ ବ୍ୟକ୍ତି ୩ଥର ତଲାକ କହି ପତ୍ନୀଙ୍କୁ ଛାଡ଼ପତ୍ର ଦେବାର ବ୍ୟବସ୍ଥା ରହିଛି। ଏହାକୁ ଏସ୍‌ଏମଏସ୍‌, ହ୍ୱାଟସ୍‌ଆପ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ମାଧ୍ୟମରେ ମୁସଲିମ ବ୍ୟକ୍ତିମାନେ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବ୍ୟବହାର କରିପାରିବେ। ଏଭଳି ପ୍ରଥାକୁ ଉଚ୍ଛେଦ ପାଇଁ ମୋଦି ସରକାର ଉଦ୍ୟମ କରିଛନ୍ତି। ଏହି ପ୍ରଥାକୁ ତଲାକ-ଇ-ବିଦ୍ଦାତ ବୋଲି କୁହାଯାଏ।