ମୋଦି ସରକାରଙ୍କ ବଡ଼ ସଫଳତା: ରାଜ୍ୟସଭାରେ ବି ୧୦% ସଂରକ୍ଷଣ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ଲୋକସଭା ପରି ରାଜ୍ୟସଭାରେ ବି ସାଧାରଣ ବର୍ଗଙ୍କ ପାଇଁ ମୋଦି ସରକାର ଆଣିଥିବା ୧୦% ସଂରକ୍ଷଣ ସଂଶୋଧନ ବିଲ୍‌ ପାସ୍‌ ହୋଇଛି। ଅର୍ଥାତ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ସଂଖ୍ୟା ଗରିଷ୍ଠତା ନଥିଲେ ହେଁ ବିରୋଧୀ ଦଳଗୁଡ଼ିକର ସହଯୋଗରେ ଏହି ବିଲ୍‌ ପାସ୍‌ ହୋଇଛି।
ସମ୍ବିଧାନର ୧୨୪ ତମ ସଂଶୋଧନ ଅଧ୍ୟାଦେଶ ଗତକାଲି ଲୋକସଭାରେ ପାସ୍‌ ହୋଇଥିଲା। ବିଲ୍‌ ସପକ୍ଷରେ ଗୃହରେ ଉପସ୍ଥିତ ୩୨୬ ଜଣ ସାଂସଦଙ୍କ ମଧ୍ୟରୁ ୩୨୩ ଜଣ ସମର୍ଥନ କରିଥିଲେ।

ଆଜି କେନ୍ଦ୍ରମନ୍ତ୍ରୀ ଥୱରଚାନ୍ଦ ଗେହଲଟ ଏହି ସମ୍ବିଧାନ ସଂଶୋଧନ ବିଲ୍‌କୁ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ଏହାକୁ ନେଇ ଦୀର୍ଘ ୮ ଘଣ୍ଟା ଧରି ମାରାଥନ ଆଲୋଚନା ହୋଇଥିଲା। ପ୍ରଥମେ ଏହାକୁ ସଂସଦର ସିଲେକ୍ଟ କମିଟି ପାଖକୁ ପଠାଇବାକୁ ଦାବି ହୋଇଥିଲା। ଏନେଇ ଡିଏମ୍‌କେ ସାଂସଦ କାନିମୋଝି ଏକ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ। ତେବେ ଭୋଟିଂ ଦ୍ୱାରା ଏହି ପ୍ରସ୍ତାବ ଖାରଜ ହୋଇ ଯାଇଥିଲା।

ଏହାପରେ ବିଲ୍‌ ସପକ୍ଷରେ ଗୃହରେ ଉପସ୍ଥିତ ଥିବା ୧୭୨ ଜଣ ସାଂସଦଙ୍କ ମଧ୍ୟରୁ ୧୬୫ ଜଣ ସମର୍ଥନ କରିଥିବା ବେଳେ ୭ ଜଣ ବିରୋଧ କରିଥିଲେ।

ଓଡ଼ିଶାର କ୍ଷମତାସୀନ ବିଜେଡି ମଧ୍ୟ ଏହାକୁ ସମର୍ଥନ କରିଥିଲା। ସେହିପରି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ସରକାର ନିର୍ବାଚନ ପୂର୍ବରୁ ଏଭଳି ଏକ ସଂରକ୍ଷଣ ବିଲ୍‌ ଆଣିଥିବାରୁ ଏହାକୁ ବିରୋଧ କରିଥିଲେ। କିନ୍ତୁ ସେମାନେ ମଧ୍ୟ ଏହାକୁ ଶେଷରେ ସମର୍ଥନ କରିଥିଲେ।
ଏବେ ଏହି ବିଲ୍‌ଟି କେବଳ ରାଷ୍ଟ୍ରପତିଙ୍କ ମୋହର ବାଜିଲେ ଆଇନ୍‌ରେ ପରିଣତ ହେବ।

ନିର୍ବାଚନ ପୂର୍ବରୁ ସାଧାରଣ ବର୍ଗଙ୍କ ପାଇଁ ଏଭଳି ୧୦% ସଂରକ୍ଷଣ ବ୍ୟବସ୍ଥା କରିବା ମୋଦି ସରକାରଙ୍କ ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି। ଏହାଦ୍ୱାରା ଆର୍ଥିକ ଅନଗ୍ରସର ଲୋକଙ୍କୁ ସରକାରୀ ଚାକିରି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳିବ। ଏଥିପାଇଁ ଗୋଟିଏ ପରିବାରର ଆୟ ବାର୍ଷିକ ୮ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ। ସେହିପରି ଯେଉଁ ପରିବାର ପାଖରେ ୫ ଏକରରୁ କମ୍‌ ଚାଷ ଜମି ଥିବ ସେମାନଙ୍କୁ ଏହି ସୁବିଧା ମିଳିବ। ଏହାବାଦ୍‌ ଏହି ସଂରକ୍ଷଣ ବ୍ୟବସ୍ଥା ପାଇବାକୁ ହେଲେ ସମ୍ପୃକ୍ତ ପରିବାରର ବାସଭବନର ଆକାର ୧୦୦୦ ବର୍ଗଫୁଟରୁ କମ୍‌ ହେବା ଜରୁରୀ। ମ୍ୟୁନିସିପାଲିଟି ଅଞ୍ଚଳରେ ଜଣେ ଆବାସିକ ପ୍ଲଟ ୧୦୦ ଗଜରୁ କମ୍‌ ରହିଥିବ ଏବଂ ଅଣ ମ୍ୟୁନିସିପାଲିଟି ଅଞ୍ଚଳରେ ଆବାସିକ ପ୍ଲଟ ୨୦୦ ଗଜରୁ କମ୍‌ ଥିବା ଜରୁରୀ। ଏହି ବିଲ୍‌ ଦ୍ୱାରା ଦେଶର ୩୬ କୋଟି ଲୋକ ଲାଭବାନ ହେବେ ବୋଲି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥଓ୍ୱରଚାନ୍ଦ ଗେହଲଟ କହିଛନ୍ତି।

ଆଜି ବିଲ୍ ଆଗତ ହେବାପରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ପ୍ରଥମେ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରି ହଟ୍ଟଗୋଳ କରିଥିଲେ। ତେବେ ପରେ ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଡିପି ଏବଂ ଡିଏମକେ ବିଲ୍‌କୁ ସମର୍ଥନ କରିଥିଲେ। ତେବେ AIADMK ବିଲକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା।