ରାମ ରହିମଙ୍କୁ ଦରକାର ମସାଜ୍‌; ଜେଲ୍‌ରେ ହନିପ୍ରୀତ୍‌ଙ୍କୁ ରଖିବାକୁ ମାଗିଲେ ଅନୁମତି

ଚଣ୍ଡିଗଡ଼: ଜେଲ୍‌ ଭିତରେ ହନିପ୍ରୀତ୍‌ଙ୍କୁ ମନେ ପକାଉଛନ୍ତି ରାମ ରହିମ। ଜେଲ୍‌ରେ ତାଙ୍କ ସହ ହନିପ୍ରୀତିଙ୍କୁ ରହିବାକୁ ଅନୁମତି ଦିଆଯାଉ ବୋଲି ରାମ ରହିମ ସିବିଆଇ କୋର୍ଟରେ ଅପିଲ୍ କରିଛନ୍ତି।  ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ହନିପ୍ରୀତ ତାଙ୍କ ଫିଜୋଥେରାପିଷ୍ଟ ଥିଲେ। ତା’ସହିତ ସେ ତାଙ୍କର ମସାଜ୍ କରୁଥିଲେ।

ଏକାଠି ରହିବାକୁ ‘ବାପ-ଝିଅ’ କରିଥିଲେ ଗୁହାରି

ରାମ ରହିମ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସହିତ ତାଙ୍କ ଧରମ ଝିଅ ହନିପ୍ରୀତକୁ ଜେଲ୍‌ ରହିବାକୁ ଅନୁମତି ଦେବାକୁ କୋର୍ଟଙ୍କୁ କହିଥିଲେ। ସେ ଏକ ଆବେଦନ ମାଧ୍ୟମରେ ଏହି ଅନୁରୋଧ କରିଥିଲେ। ସେହିପରି ହନିପ୍ରୀତ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟଙ୍କୁ ଅନୁରୂପ ଅନୁରୋଧ କରିଥିଲେ। କୋର୍ଟ ଉଭୟଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ରାମ ରହିମଙ୍କୁ କୋର୍ଟରୁ ରୋହତକ ଜେଲକୁ ନିଆଯିବା ପର୍ଯ୍ୟନ୍ତ ହନିପ୍ରୀତଙ୍କୁ ତାଙ୍କ ସହିତ ରହିବାକୁ ପୋଲିସ୍ ଅନୁମତି ଦେଇଥିଲା। ରାମ ରହିମଙ୍କ ସହ ହନିପ୍ରୀତ ହେଲିକପ୍ଟରରେ ରୋହତକ ପର୍ଯ୍ୟନ୍ତ ଯାଇଥିଲେ। ସୁନୈରା ଜେଲ୍‌ ଗେଷ୍ଟ ହାଉସ୍‌ରେ ବି ଦୁଇ ଜଣ ସାଙ୍ଗ ହୋଇ ରହିଥିଲେ।

ଆଉ ଅଭିନୟ କରିପାରିବେ ନାହିଁ ବାପଝିଅ

ରାମ ରହିମଙ୍କୁ ଆଉ ଏକ ଝଟକା ଲାଗିଛି। ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (ସିଆଇଏନ୍‌ଟିଏ) ତାଙ୍କ ୱାର୍କ ପର୍‌ମିଟ୍ ରଦ୍ଦ କରି ଦେଇଛି। ସେ ଜଣେ ଅପରାଧୀ ହୋଇଥିବାରୁ ତାଙ୍କର ପର୍‌ମିଟ୍ ରଦ୍ଦ କରାଯାଇଛି। ସେହିପରି ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡାଇରେକ୍ଟର୍ସ ଆସୋସିଏସନ୍‌ (ଆଇଏଫ୍‌ଟିଡିଏ) ମଧ୍ୟ ତାଙ୍କର ସଦସ୍ୟତାକୁ ରଦ୍ଦ କରି ଦେଇଛି। ଆଇଏଫ୍‌ଟିଡିଏ ରାମ ରହିମଙ୍କ ସହିତ ହନିପ୍ରୀତଙ୍କ ସଦସ୍ୟତା ମଧ୍ୟ ରଦ୍ଦ କରି ଦେଇଛି। ହନିପ୍ରୀତ ବି ଆଇଏଫ୍‌ଟିଡିଏର ସଦସ୍ୟ ଥିଲେ ଓ ରା ରହିମଙ୍କ ଫିଲ୍ମଗୁଡ଼ିକରେ ନିର୍ଦ୍ଦେଶକ ଭାବେ କାମ କରୁଥିଲେ।

ହନିପ୍ରୀତିଙ୍କ ବିରୋଧରେ ଲୁକ୍‌ ଆଉଟ୍ ନୋଟିସ୍‌

ଗୋଟିଏ ପଟେ ରାମ ରହିମ୍ ଧରମ ଝିଅ ହନିପ୍ରୀତଙ୍କୁ ଜେଲ୍‌ରେ ତାଙ୍କ ସହିତ ରହିବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିଥିବା ବେଳେ ଅନ୍ୟ ପଟେ ସେ ନିଖୋଜ ଅଛନ୍ତି। ରାମ ରହିମଙ୍କୁ ସଜ୍ଜା ଶୁଣାଯିବା ପର ଦିନ ଠାରୁ ହନିପ୍ରୀତଙ୍କ ପତ୍ତା ମିଳୁନି। ରାମ ରହିମଙ୍କୁ କୋର୍ଟ ପରିସରରୁ ଫେରାର କରି ନେଇଯିବା ପାଇଁ ସେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେହି ଠାରୁ ହିଁ ତାଙ୍କୁ ଫେରାର କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।  ତେଣୁ ହରିଆଣା ପୋଲିସ୍ ହନିପ୍ରୀତି ବିରୋଧରେ ଲୁକ୍‌ଆଇଟ୍‌ ନୋଟିସ୍‌ ଜାରି କରିଛି।

ସିବିଆଇ କୋର୍ଟ ରାମ ରହିମଙ୍କୁ ଦୁଇଟି ଦୁଷ୍କର୍ମ ମାମଲାରେ ୨୦ ବର୍ଷ  ଜେଲ ଦଣ୍ଡ ଶୁଣାଇଛନ୍ତି।