ଜେଲ୍‌ରେ ଥିବା ରାମରହିମ୍ ନକଲି ?

ଚଣ୍ଡିଗଡ଼: ମହିଳା ଭକ୍ତଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ। ଦଣ୍ଡ ଘୋଷଣା ପରେ ତାଙ୍କୁ ନେଇ ସାରା ଦେଶରେ ପ୍ରାୟ ୧୫ ଦିନ ଧରି ଚାଲିଥିବା ଚର୍ଚ୍ଚାର ପରିସମାପ୍ତି ଘଟିଲା। କିନ୍ତୁ ରାମ ରହିମ ଜେଲ୍‌ରେ ଥାଇ ବି ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏବେ ସନ୍ଦେହ ପ୍ରକାଶ ପାଇଲାଣି, ଜେଲ୍‌ରେ ଥିବା ରାମରହିମ କାଳେ ଅସଲି ନୁହେଁ, ନକଲି। ଏହାକୁ ନେଇ ସୋସିଆଲ ମିଡିଆ ଓ କିଛି ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜେଲରେ ଥିବା ରାମରହିମ ଅସଲି ନା ତାଙ୍କୁ ଫେରାର କରିନିଆଯାଇଛି ଏ ସଂପର୍କରେ ହରିୟାଣା ପୋଲିସ୍ ତଦନ୍ତ ଆରମ୍ଭ କରିଛି।

କିଛିଦିନ ତଳେ ରାମରହିମ ଜେଲ୍‌ ପ୍ରଶାସନକୁ ୧୦ ଜଣଙ୍କ ନାଁ ଦେଇଥିଲେ। ଦର୍ଶାଇଥିଲେ, ଏହି ବ୍ୟକ୍ତିମାନେ ତାଙ୍କୁ ଜେଲ୍‌ରେ ଭେଟି ପାରିବେ। ଏହି ତାଲିକାଲେ ସବୁଠାରୁ ଆଗରେ ଥିଲା ତାଙ୍କ ପାଳିତା କନ୍ୟା ହନିପ୍ରୀତିଙ୍କ ନାଁ। ଏହାସହିତ ଏହି ତାଲିକାରେ ତାଙ୍କର ଆଉ ଦୁଇ ଝିଅ-ଜ୍ୱାଇଁ, ପୁଅ-ବୋହୂ ଓ ଡେରା କର୍ମଚାରୀଙ୍କ ନାଁ ଥିଲା।

ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ, ତାଙ୍କ ସହ ତାଙ୍କ ଧରମ ଝିଅ ହନିପ୍ରୀତକୁ ଜେଲ୍‌ ରହିବାକୁ ଅନୁମତି ଦେବାକୁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। ସେହିପରି ହନିପ୍ରୀତ ମଧ୍ୟ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟଙ୍କୁ ଅନୁରୂପ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ଉଭୟଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ରାମରହିମଙ୍କୁ କୋର୍ଟରୁ ରୋହତକ ଜେଲକୁ ନିଆଯିବା ପର୍ଯ୍ୟନ୍ତ ହନିପ୍ରୀତଙ୍କୁ ତାଙ୍କ ସହିତ ରହିବାକୁ ପୋଲିସ୍ ଅନୁମତି ଦେଇଥିଲା। ରାମରହିମଙ୍କ ସହ ହନିପ୍ରୀତ ହେଲିକପ୍ଟରରେ ରୋହତକ ପର୍ଯ୍ୟନ୍ତ ଯାଇଥିଲେ। ସୁନୈରା ଜେଲ୍‌ ଗେଷ୍ଟ ହାଉସ୍‌ରେ ବି ଦୁଇଜଣ ସାଙ୍ଗ ହୋଇ ରହିଥିଲେ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୮ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମରହିମ୍‌ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ, ତାଙ୍କ ଅନୁଗାମୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ପୋଡ଼ାଜଳା ମଧ୍ୟ କରିଥିଲେ। ଏହି ହିଂସାକାଣ୍ଡରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣା ଦିନ ବାବାଙ୍କୁ ସ୍ୱତନ୍ତ୍ର ହେଲିକପ୍ଟରରେ ରୋହତକସ୍ଥିତ ଜେଲକୁ ନିଆଯାଇଥିଲା।