୧୦ ଲକ୍ଷ ଟଙ୍କାର ବେଡ୍‌ରେ ଶୋଉଥିଲେ ରାମ ରହିମ୍: ବିଦେଶରୁ ଆସୁଥିଲା ବେଡ୍‌ସିଟ୍‌ ଓ ତକିଆ

ଚଣ୍ଡିଗଡ଼: ଜେଲ୍‌ରେ ଥାଇ ବି ଥମୁନି ଚର୍ଚ୍ଚା। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜେଲ୍‌ରେ ୨୦ ବର୍ଷର ସଜ୍ଜା କାଟୁଥିବା ରାମ ରହିମଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାର ଲାଗିଛି। ଏବେ ତାଙ୍କର ବିଳାସମୟ ଜୀବନଯାପନ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। ରାମ ରହିମଙ୍କର ସିର୍ସାରେ ଏକ ବିରାଟ ରିସୋର୍ଟ ଅଛି। ଧର୍ମ ସହିତ ଜଡ଼ିତ କାମ କରିବା ପାଇଁ ଏହାକୁ ନିର୍ମାଣ କରାଯାଇଥିଲା। କିନ୍ତୁ ପରେ ଏଠାରେ ଯାବତୀୟ କୁକର୍ମ କରାଯାଇଥିଲା ବୋଲି କୁହାଯାଉଛି। ଏଠାରେ ଆଡମ୍ୱରପୂର୍ଣ୍ଣ ଜୀବନଯାପନ କରୁଥିଲେ ସେ। ଏହି ରିସୋର୍ଟ ଭିତରେ ରାମ ରହିମଙ୍କର ୪୦X୪୦ର ଏକ କଠୋରୀ ଅଛି। ଏଥିରେ ୧୦ ଲକ୍ଷ ଟଙ୍କାର ଏକ ବେଡ୍‌ ପଡ଼ିଛି। ଏଥିରେ ସେ ଶୋଉଥିଲେ। ଏହି ବେଡ୍‌କୁ ବିଦେଶରୁ ଅଣାଯାଇଥିଲା। ରାମ ରହିମ ଯେବେ ବି ଏଠାକୁ ଆସୁଥିଲେ ଏହି ବେଡ୍‌ରେ ଲାଲ ଅବା ଗୋଲାପୀ ରଙ୍ଗର ବେଡ୍‌ସିଟ୍ ପକା ଯାଉଥିଲା। ଉଭୟ ତକିଆ ଓ ବେଡ୍‌ସିଟ୍ ବିଦେଶରୁ ଆସୁଥିଲା। ଏହା ବି କୁହାଯାଉଛି ଯେ ସେ ଯେଉଁ ରୁମ୍‌ରେ ଶୋଉଥିଲେ ସେଠାରେ ହୋମ୍ ଥିଏଟର ସହିତ ସୁଇମିଂ ପୁଲ୍‌ର ବି ସୁବିଧା ଥିଲା।

villas

ରାମ ରହିମଙ୍କ ଏହି ରିସୋର୍ଟଟି କୌଣସି ପଞ୍ଚତାରକା ହୋଟେଲ୍‌ଠାରୁ କମ୍ ନୁହେଁ। ଏଠାରେ ସେହି ସୁବିଧା ରହିଛି ଯାହା ଆମେ ପଞ୍ଚତାରକା ହୋଟେଲ୍‌ରେ ପାଇଥାଉ। ଏଥିରେ ସୁଇମିଂ ପୁଲ୍ ଓ ସ୍ପା ଭଳି ସୁବିଧା ଥିଲା। ନିଜର ସଉକ ମେଣ୍ଟାଇବା ପାଇଁ ପ୍ରାୟ ୯୧ ଏକର ଜମିରେ ରାମ ରହିମ ଏହି ରିସୋର୍ଟ ନିର୍ମାଣ କରିଥିଲେ। ଏହି ରିସୋର୍ଟ ଭିତରେ ୧୬ଟି ଆଲିଶାନ ଭିଲା ଅଛି। ତା’ସହିତ ୫୮ଟି ରୁମ୍ ବିଶିଷ୍ଟ ଏକ ବଡ଼ ଅଟ୍ଟାଳିକା ରହିଛି। ଏହି ରୁମ୍‌ଗୁଡ଼ିକୁ ରାମ ରହିମ ଭଡ଼ାରେ ଦେଉଥିଲେ। ଏଥିପାଇଁ ଗୋଟିଏ ରାତିକୁ ଲକ୍ଷାଧିକ ଟଙ୍କା ଦେବାକୁ ପଡୁଥିଲା। ବହୁ ଭିଆଇପି ଏଠାରେ ରହିବାକୁ ଆସୁଥିଲେ।

villa

ରିସୋର୍ଟ ଭିତରେ ରାମ ରହିମ ତାଜମହଲ ଡିଜାଇନର ଏକ ଭିଲା ନିର୍ମାଣ କରିଥିଲେ। ଅନ୍ୟ ସବୁ ଭିଲା ଅପେକ୍ଷା ଏହି ଭିଲାର ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ଥିଲା। ଏଠାକୁ ସେ ସବୁବେଳେ ମସାଜ କରାଇବାକୁ ଆସୁଥିଲେ। ଏଠି ସେ ଷ୍ଟିମ୍ ବାଥ୍‌ ବି କରୁଥିଲେ। ଏହି ଭିଲାର ଏକ କୋଣରେ ଏକ ସୁଇମିଂ ପୁଲ୍ ଅଛି। ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଲାଇଟ୍ ଲଗାଯାଇଥିବା ବେଳେ ଦାମୀ ଚୌକି ପଡ଼ିଛି। ଏହି ଦାମୀ ଚୌକିରେ କେବଳ ରାମ ରହିମ ବସୁଥିଲେ। ଏହି ଭିଲାରେ ସିସିଟିଭି କ୍ୟାମେରା ଲାଗିଛି। କିନ୍ତୁ ରାମ ରହିମ ଆସିବା ମାତ୍ରେ ସେଗୁଡ଼ିକୁ ବନ୍ଦ କରି ଦିଆଯାଉଥିଲା।