ରାମ ରହିମଙ୍କ ଦଙ୍ଗାକାରୀଙ୍କୁ ଟଙ୍କା ବାଣ୍ଟିଥିବା ବ୍ୟକ୍ତି ଗିରଫ, ପଞ୍ଜାବ ପୋଲିସ୍‌ର କମାଣ୍ଡୋ ପହଞ୍ଚାଇଥିଲେ ୫ କୋଟି

ଚଣ୍ଡିଗଡ଼: ଗତ ଅଗଷ୍ଟ ୨୫ ତାରିଖରେ ରାମ ରହିମ ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ପରେ ହରିଆଣାର ପଞ୍ଚକୁଲାରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। କେବଳ ପଞ୍ଚକୁଲା ନୁହେଁ, ହରିଆଣାର ଆଉ କିଛି ସ୍ଥାନ ସହିତ ଚାରୋଟି ରାଜ୍ୟରେ ହିଂସାକାଣ୍ଡ ହୋଇଥିଲା। ଏହି ହିଂସାକାଣ୍ଡ ଥିଲା ପୂର୍ବ ପ୍ରାୟୋଜିତ। ଏଥିପାଇଁ ରାମ ରହିମଙ୍କ ସମର୍ଥକମାନେ ପୂର୍ବରୁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ବିଶେଷ କରି ପଞ୍ଚକୁଲାରେ ଦଙ୍ଗାକାରୀମାନଙ୍କ ମଧ୍ୟରେ ପାଞ୍ଚ କୋଟି ଟଙ୍କା ବଣ୍ଟା ଯାଇଥିଲା। ଏହି ଟଙ୍କା ବାଣ୍ଟିଥିବା ଚମକୌର ସିଂହଙ୍କୁ ପୋଲିସ୍ ଗିରଫ କରିଛି। ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍ (ଏସ୍‌ଆଇଟି) ତାଙ୍କୁ ଗିରଫ କରିଛି।  ଏହି ମାମଲାରେ ପଞ୍ଜାବ ପୋଲିସ୍‌ର ଜଣେ କମାଣ୍ଡୋ ମଧ୍ୟ ଗିରଫ ହୋଇଛି। ତାଙ୍କ ନାଁ ଦାନ ସିଂହ। ସେ ହିଁ ପଞ୍ଚକୁଲାକୁ ୫ କୋଟି ଟଙ୍କା ନେଇ ଆସିଥିଲେ। ତା’ପରଠୁ ସେ ଫେରାର ହୋଇଯାଇଥିଲେ। ତେବେ ଉଭୟ ଚମକୌର ଓ ଦାନ ସିଂହଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ନେଇ ଏସ୍‌ଆଇଟି ମୁହଁ ଖୋଲୁ ନାହିଁ। ଦୁଇ ଜଣଙ୍କୁ ପଚରାଉଚରା କରାଯାଉଛି।

ପୋଲିସ୍ କହୁଛି ରାମ ରହିମଙ୍କ ଧରମ ଝିଅ ହନିପ୍ରୀତ ଓ ଡାକ୍ତର ଆଦିତ୍ୟ ଇନ୍‌ସା ହେଉଛନ୍ତି ଏହି ଦଙ୍ଗାର ମାଷ୍ଟରମାଇଣ୍ଡ। ତେବେ ଏଦୁଇ ଜଣ ଏବେ ବି ପୋଲିସ୍ ହାତରେ ପଡ଼ି ନାହାନ୍ତି। ହନିପ୍ରୀତଙ୍କ ବିରୁଦ୍ଧରେ ପୋଲିସ୍ ଦେଶଦ୍ରୋହ ମାମଲା ରୁଜୁ କରିବା ସହିତ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।