ଭଡ଼ାରେ ଲୋକଠୁଳ କରିଥିଲେ ରାମ ରହିମଙ୍କ ସମର୍ଥକ: ଦିନକୁ ୧୦୦୦ ଟଙ୍କା  ଓ ମାଗାଣା ଖାଇବା

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲ୍‌ରେ ଅଛନ୍ତି। ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ପଞ୍ଚକୁଲାରେ ଯେଉଁ ହିଂସା ସୃଷ୍ଟି ହୋଇଥିଲା ତା’ ପଛରେ କେବଳ ବାବାଙ୍କ ଅନୁଗାମୀ ନ ଥିଲେ। ସେଥିମଧ୍ୟରୁ କିଛି ଲୋକଙ୍କୁ ଭଡ଼ାରେ ଅଣାଯାଇଥିବା ଜଣାପଡ଼ିଛି। ପ୍ରତିଦିନ ସେମାନଙ୍କୁ ୧୦୦୦ଟଙ୍କା ଓ ମାଗଣାରେ ଖାଇବାକୁ ଦିଆଯିବ ବୋଲି ଅଫର୍ କରାଯାଇଥିଲା। ଫଇସଲା ଆସିବା ପୂର୍ବରୁ ପ୍ରଶାସନ ଉପରେ ଚାପ ପକାଇବା ପାଇଁ ଡେରା ଅଧିକାରୀମାନେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ‘ଦ ଟ୍ରିବ୍ୟୁନ୍’ରେ ଏକ ରିପୋର୍ଟରେ ଦାବି କରାଯାଇଛି।

ଜଣେ ସରକାରୀ ଡାକ୍ତର କହିଛନ୍ତି,“ କିଛି ଅଞ୍ଚଳରେ ଘୋଷଣା କରାଯାଇଥିଲା ଯେଉଁମାନେ ଡେରା ଅନୁଗାମୀଙ୍କ ସହ ଆସିବେ ତାଙ୍କୁ ୧୦୦୦ଟଙ୍କା ଦିଆଯିବ। ଏହାସହିତ ଏଠାରେ ପହଞ୍ଚିଲା ପରେ ମାଗଣାରେ ଖାଇବାକୁ ଦିଆଯିବ। ଆମ ଗାଁର ୧୦୦ରୁ ଅଧିକ ମହିଳା ଡେରା ଅନୁଗାମୀଙ୍କ ସହ ଆସିଥିଲେ।”

ଅନ୍ୟପକ୍ଷରେ ଲୋକମାନେ ସେମାନଙ୍କ ଇଚ୍ଛାରେ ପଞ୍ଚକୁଲା ଆସିଥିବା ଡେରାର ଜଣେ ପ୍ରତିନିଧି କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ହରିଆଣାର ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟଙ୍କ ରାୟ ପରେ ପଞ୍ଚକୁଲାରେ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ପଞ୍ଜାବରେ ବି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।