ଶାହଙ୍କ ଦମ୍ଭୋକ୍ତି, ୪ ମାସରେ ଅଯୋଧ୍ୟରେ ହେବ ରାମ ମନ୍ଦିର

ନୂଆଦିଲ୍ଲୀ: ଠିକ ୪ ମାସ ମଧ୍ୟରେ ଅଯୋଧ୍ୟାରେ ଭବ୍ୟ ଓ ବିଶାଳ ରାମ ମନ୍ଦିର ନିର୍ମାଣ ହେବ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦମ୍ଭୋକ୍ତି କରିଛନ୍ତି।

ଝାରଖଣ୍ଡର ପାକୁର ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଶାହ କହିଛନ୍ତି, “ସୁପ୍ରିମକୋର୍ଟ ଅଯୋଧ୍ୟା ଉପରେ ତାଙ୍କ ରାୟ ଦେଇ ସାରିଛନ୍ତି। ଆଜି ଠାରୁ ଠିକ୍‌ ୪ ମାସ ମଧ୍ୟରେ ଅଯୋଧ୍ୟରେ ନଭଶ୍ଚୁମ୍ଭୀ ରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବ। କଂଗ୍ରେସ କେବେ ହେଲେ ଦେଶକୁ ସୁରକ୍ଷା ଦେଇପାରିନାହିଁ। ଏଥିସହ କଂଗ୍ରେସ କେବେ ହେଲେ ଲୋକଙ୍କ ଭାବନାକୁ ସମ୍ମାନ ଦେଇନାହିଁ।”

ନଭେମ୍ବର ୯ରେ ସୁପ୍ରିମକୋର୍ଟ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ କରିଥିଲେ। ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ହିନ୍ଦୁପକ୍ଷଙ୍କୁ ଦେଇଥିବା ବେଳେ ବାବ୍ରୀ ମସଜିଦ ପାଇଁ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜମି ଦେବାକୁ କହିଥିଲେ। ଏଥିସହ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।