ଅଦାଲତକୁ ଚକ୍‌ମା ଦେଇ ଖସିଗଲା ଦୁଷ୍କର୍ମ ଅଭିଯୁକ୍ତ, ସଜ୍ଜା ଶୁଣାଣି ହେବାମାତ୍ରେ କାଠଗଡ଼ାରୁ ଚମ୍ପଟ ମାରିଲା

ଭୋପାଳ: ଅଦାଲତକୁ ଚକ୍‌ମା ଦେଇ ଖସିଗଲା ଅଭିଯୁକ୍ତ। ବିଚାରପତି ସଜ୍ଜା ଶୁଣାଇବା ମାତ୍ରେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା ଦୋଷୀ। ଦଣ୍ଡ ଶୁଣାଣି ହେବା ମାତ୍ରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ କାଠଗଡ଼ାରୁ ଖସିଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ମଧ୍ୟପ୍ରଦେଶର ବଡ଼ୱାନି ଜିଲା ସେସନ୍‌ସ ଅଦାଲତରେ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ବଳାତ୍କାର ମାମଲାରେ ବିଜୟ ସୋଲାଙ୍କି ନାମକ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗତକାଲି ଜିଲ୍ଲା ସେସନ୍‌ସ ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଜଣକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏଥିସହ  ୭,୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା।  କିନ୍ତୁ ଦଣ୍ଡ ଆଦେଶ ଦିଆଯିବା ମାତ୍ରେ କାଠଗଡ଼ାରୁ ଡେଇଁ ଅଭିଯୁକ୍ତ ଖସି ଯାଇଥିଲା।

ଏନେଇ ପୁଲିସ୍ ଆଉଏକ ମାମଲା ରୁଜୁ କରିଛି। ବିଜୟଙ୍କ ନାମରେ ୨୦୦୫ରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେବେଠାରୁ ମାମଲା ବିଚାରାଧୀନ ଥିଲା। ଇତିମଧ୍ୟରେ ଅଭିଯୁକ୍ତ ଜାମିନ୍‌ ମଧ୍ୟ ପାଇଥିଲା। ତେବେ ଗତକାଲି କୋର୍ଟରୁ ଅଭିଯୁକ୍ତ ଜଣକ ଖସିଯିବା ପରେ ପୋଲିସ ତାକୁ ଖୋଜିବା ଆରମ୍ଭ କରିଛି।