୫ ହଜାରରେ କିଣିଲା, ୨ ବର୍ଷ ଦୁଷ୍କର୍ମ କରି ୩୦ ହଜାରରେ ବିକିଦେଲା

ଫରିଦାବାଦ: ଏବେ ମଧ୍ୟ ଆମ ସମାଜରେ ରାତିରେ ଝିଅଟିଏ ଏକା ଘରୁ ବାହରକୁ ଯିବା ଅନୁଚିତ ବୋଲି ବିବେଚନା କରାଯାଉଛି। କାରଣ ବାହାରେ ଝିଅଟିଏ ସୁରକ୍ଷିତ ନୁହେଁ। କିନ୍ତୁ ପ୍ରଶ୍ନ ଉଠୁଛି, ଝିଅଟିଏ କ’ଣ ତା ଘରେ ଓ ନିଜ ସମ୍ପର୍କୀୟଙ୍କ ପାଖରେ ସୁରକ୍ଷିତ? ନା, ଏହା ଉପରେ ବି ଏବେ ପ୍ରଶ୍ନ ଚିହ୍ନ ଲାଗିଛି। ଫରିଦାବାଦରେ ଘଟିଥିବା ଏକ ଘଟଣା ଏହାର ଉଦାହରଣ।

ଗତ ସୋମବାର ଚାଇଲ୍ଡଲାଇନଠାରୁ ସୂଚନା ପାଇ ପୋଲିସ, ଫରିଦାବାଦ ସ୍ଥିତ ଧିରଜ ନଗରର ଟି-୨ କଲୋନିରୁ ୧୫ ଦିନଧରି ଏକ ଘରେ ଆବଦ୍ଧ ଥିବା ଜଣେ ନାବଳିକାକୁ ଉଦ୍ଧାର କରିଛି। ଝିଅଟି କହିଛି ଯେ, ଗତ ୨ ବର୍ଷ ତଳେ ତା ଆଈ, ସୁରେନ୍ଦ୍ର ନାମକ ଜଣେ ଯୁବକକୁ ମାତ୍ର ୫ହଜାର ଟଙ୍କାରେ ତାକୁ ବିକ୍ରି କରିଦେଇଥିଲା, ସୁରେନ୍ଦ୍ର ତାକୁ ଦିଲ୍ଲୀ ନେଇଆସିଥିଲା।

ଝିଅଟି କହିଛି ଯେ ଗତ ଦୁଇ ବର୍ଷ ଧରି ଅଭିଯୁକ୍ତ ଯୁବକ ସୁରେନ୍ଦ୍ର ତାକୁ ଅନେକ ଘରେ କାମ କରାଉଥିଲା। କେବଳ ସେତିକି ନୁହେଁ, ସଇତାନ ସୁରେନ୍ଦ୍ର ୨ବର୍ଷ ଧରି ତା ସହ ଦୁଷ୍କକର୍ମ ମଧ୍ୟ କରୁଥିଲା। ୨ବର୍ଷ ଧରି ଉପଭୋଗ କରିବା ପରେ ତାକୁ ବିକିଦେଲା। ମାତ୍ର ୩୦ ହଜାର ଟଙ୍କାରେ ସେ ତାକୁ ମିଶ୍ରା ନାମକ ଜଣେ ବ୍ୟକ୍ତିକୁ ବିକ୍ରି କରିଦେଇଥିଲା। ମିଶ୍ରା ତାକୁ ଫରିଦାବାଦ ନେଇଆସିଥିଲା। ଝିଅଟି ଅଭିଯୋଗ କରିଛି ଯେ, ଫରିଦାବାଦରେ ମଧ୍ୟ ସେ ଦୁଷ୍କର୍ମର ଶିକାର ହୋଇଥିଲା। ଘର ଘର ବୁଲି ତାକୁ କାମ କରିବାକୁ ପଡ଼ୁଥିଲା। ସେଥିରୁ ଯେଉଁ ଟଙ୍କା ମିଳୁଥିଲା ତାକୁ ବି ଛଡ଼ାଇ ନେଇଥିଲା ମିଶ୍ରା।

ପୀଡ଼ିତାର ବୟାନ ଶୁଣିବା ପରେ ଫରିଦାବାଦ ମହିଳା ଥାନା ପୋଲିସ୍ ଏକ ମାମଲା ରୁଜୁ କରିଛି ଓ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଦେଇଛି। ସୂଚନା ଅନୁଯାୟୀ ଚାଇଲ୍ଡଲାଇନର ହେଲ୍ପଲାଇନକୁ ଗତ ଶନିବାର ଏ ସମ୍ପର୍କରେ ଏକ କଲ ଆସିଥିଲା। ଏହାକୁ ଆଧାର କରି ପୋଲିସ ରବିବାର ସକାଳେ ଝିଅଟିକୁ ଉଦ୍ଧାର କରିଥିଲା। ବର୍ତ୍ତମାନ ଝିଅଟି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛି।