ଭିକାରୀ ପାଲଟିଲେ କୋଟିପତି: ଭଡ଼ାଘରେ ରହୁଛନ୍ତି ‘ରେମଣ୍ଡ’ କମ୍ପାନୀର ମାଲିକ

ମୁମ୍ବାଇ: ଆଜି ଯିଏ ରାଜେନ୍ଦ୍ରାସନେ କାଲି ସିଏ ଫକୀର। ସେ ରାଜା ହୁଅନ୍ତୁ କିମ୍ବା ଧନଶାଳୀ ବ୍ୟକ୍ତି, କାଳର ଖେଳ ପାଖରେ ଏମିତି ଅନେକ ଲୋକ ଭିକାରୀ ହୋଇଯିବାର ନଜିର ରହିଛି। ଭାଗ୍ୟ କାହାକୁ କେତେବେଳେ କେଉଁ ଠିକଣାରେ ପହଞ୍ଚାଇବ ତାହା ଅନିଶ୍ଚିତ। କେବଳ ପୁରାତନ ଏବଂ କିମ୍ବା ପୁରାଣ ଯୁଗରେ ଏମିତି ଘଟଣା ଘଟୁଥିଲା ତାହା ନୁହଁ, ଆଧୁନିକ ଯୁଗରେ ମଧ୍ୟ ଏହାର ପୁନରାବୃତ୍ତି ହେଉଛି। ଯାହାର ସଦ୍ୟ ଉଦାହରଣ ହେଉଛନ୍ତି, ପ୍ରସିଦ୍ଧ ଭାରତୀୟ କପଡ଼ା ବ୍ରାଣ୍ଡ- ରେମଣ୍ଡ କମ୍ପାନୀର ମାଲିକ ଡ.ବିଜୟପଥ ସିଂଘାନିଆ।

ଦିନେ ବ୍ୟବସାୟ ଜଗତରେ ବାଦଶାହା ସାଜିଥିବା ସିଂଘାନିଆ ଆଜି ଦାଣ୍ଡର ଭିକାରୀ ପାଲଟି ଯାଇଛନ୍ତି। ଖାଦ୍ୟପେୟଠାରୁ ରହଣି ପର୍ଯ୍ୟନ୍ତ, ରାଜକୀୟ ଚାକଚକ୍ୟରେ ବଢିଥିବା ସିଂଘାନିଆ, ଆଜି ମୁଠେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସବୁଠୁ ବଡ଼କଥା ହେଲା, ତାଙ୍କର ଏହି ଦୟନୀୟ ସ୍ଥିତି ପାଇଁ ସେ ନିଜ ପୁଅକୁ ହିଁ ଦାୟୀ କରିଛନ୍ତି। ରେମଣ୍ଡ କମ୍ପାନୀ ପ୍ରତିଷ୍ଠା କରି କପଡ଼ା ଶିଳ୍ପ ଜଗତରେ ସେ ଖୁବ୍ ନାଁ କମାଇଥିଲେ। ଏବେବି ରେମଣ୍ଡର ଚାହିଦା ଆକାଶ ଛୁଆଁ।

 ଉତ୍ତମ ମାନର ଓ ଡିଜାଇନ୍‌ର କପଡ଼ା ତିଆରି କରି ଯୁବପିଢୀଙ୍କୁ କେତେ କଣ ଦେଇଥିବା ସିଂଘାନିଆ ଆଜି କିନ୍ତୁ ସେମିତି ଖଣ୍ଡେ ଦାମୀ ଡ୍ରେସ ପିନ୍ଧିବାକୁ ଅକ୍ଷମ। ଏହି ଦୁର୍ଦ୍ଦିନର କଳାବାଦଲ ସେତେବେଳେ ଘୋଟି ଆସିଲା, ଯେତେବେଳେ ସେ ନିଜର ବ୍ୟବସାୟକୁ ପୁଅ ଗୌତମଙ୍କୁ ସମର୍ପି ଦେଇଥିଲେ। ଏବେ ସେ ସବୁକିଛି ହରାଇ ମୁମ୍ବାଇରେ ଗ୍ରାଣ୍ଡ ପରାଡ଼ି ସୋସାଇଟିର ଏକ ଭଡ଼ାଘରେ ରହୁଛନ୍ତି । ରହିବା ଲାଗି ନିଜ ଘର ଖଣ୍ଡକ ପାଇବାକୁ ଡ. ସିଂଘାନିଆ ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିବା ଖବର ପଦାକୁ ଆସିଛି। ସୂଚନା ଅନୁଯାୟୀ ମୁମ୍ବାଇର ମାଲବାର ହିଲରେ ଥିବା ୩୬ ତାଲା ବିଶିଷ୍ଟ ବିଲ୍‌ଡିଂରେ ଏକ ଫ୍ଲାଟ ପାଇଁ ସେ ଆବେଦନ କରିଛନ୍ତି। ୧୯୬୦ରେ ୫ ହଜାର ୧୮୫ ସ୍କୋୟାର ଫୁଟର ଏହି ପ୍ଲଟକୁ ବ୍ୟବସାୟ ଉଦ୍ଦେଶ୍ୟରେ ରେମଣ୍ଡ କମ୍ପାନୀକୁ ସବସିଡରେ ମିଳିଥିଲା। ଯାହାର ପ୍ରତି ସ୍କୋୟାରଫୁଟର ମୂଲ୍ୟ ଏବେ ୯ ହଜାର ଟଙ୍କା। ଏହି ପ୍ଲଟରେ ଥିବା ଫ୍ଲାଟ ଗୁଡ଼ିକୁ ସମ୍ପ୍ରସାରଣ କରି ନୂଆ ରୂପରେ ତିଆରି କରି କମ୍ପାନୀ ବ୍ୟବସାୟ କରି ଆସୁଥିଲା।

 ପରବର୍ତ୍ତୀ ସମୟରେ ଏହି ପ୍ଲଟକୁ ନେଇ ପାରିବାରିକ ବିବାଦ ଉପୁଜିଥିଲା। ଏଥିରେ ଡ.ସିଂଘାନିଆ, ପୁଅ ଗୌତମ ଏବଂ ନିଜ ଭାଇ ଅଜୟଙ୍କ ପତ୍ନୀଙ୍କ ମଧ୍ୟରେ ଭାଗବଣ୍ଟାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଡ.ସିଂଘାନିଆଙ୍କ ଭାଇ ଅଜୟଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ପତ୍ନୀ ବୀଣାଦେବୀ ଉକ୍ତ ସମ୍ପତ୍ତି ଉପରେ ନିଜର ହକ୍ ଦାବି କରିଛନ୍ତି। ଏହି କଳହ ଏବଂ ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ଡ.ସିଂଘାନିଆ ଘର ଛାଡ଼ି ଏବେ ଭଡ଼ାରେ ରହୁଛନ୍ତି। ତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ତେଣୁ ତାଙ୍କୁ ରହିବା ପାଇଁ ଉପରୋକ୍ତ ପ୍ଲଟରେ ଏକ ଫ୍ଲାଟ ମିଳିବା ନେଇ ଆବେଦନରେ ଦର୍ଶାଯାଇଛି। ଡ.ସିଂଘାନିଆ ନିଜର ଏଭଳି ଅବସ୍ଥା ପାଇଁ ପୁଅକୁ ଦାୟୀ କରିଛନ୍ତି। ସେ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ମୁମ୍ବାଇ ମିରର ଖବର କାଗଜରେ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ପରେ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି।