ଜନାଦେଶରେ ପଡ଼ିବ କି ରେପୋରେଟ୍‌ ହ୍ରାସର ପ୍ରଭାବ? ଇତିହାସ କହୁଛି ହଁ

ନୂଆଦିଲ୍ଲୀ: ୨୦୧୯ ମସିହାର ମାତ୍ର ୩ ମାସ ସମ୍ପୂର୍ଣ୍ଣ ହୋଇ ଚତୁର୍ଥ ମାସ ଆରମ୍ଭ ହୋଇଛି। କିନ୍ତୁ ଏହା ମଧ୍ୟରେ ଦୁଇ ଦୁଇ ଥର ହ୍ରାସ ପାଇଲାଣି ରେପୋ ରେଟ୍‌। ଏହି କ୍ରମରେ ଆଜି ୨୫ ବେସିସ୍‌ ପଏଣ୍ଟ ହ୍ରାସ ପାଇବାରୁ ବର୍ତ୍ତମାନ ରେପୋରେଟ୍‌ ୬%ରେ ପହଞ୍ଚିଛି। କିନ୍ତୁ ପ୍ରଶ୍ନ ଉଠୁଛି ରେପୋରେଟ୍‌ ହ୍ରାସ ପାବା ସହିତ ନିର୍ବାଚନର କ’ଣ ରହିଛି ସମ୍ପର୍କ ? ରେପୋରେଟ୍‌ ହ୍ରାସ ଜନାଦେଶ ଉପରେ ପକାଇବ କି ପ୍ରଭାବ?

ଏମିତି ଦେଖିବାକୁ ଗଲେ ରେପୋରେଟ୍‌ ହ୍ରାସ ପାବା ସହିତ ନିର୍ବାଚନର ସିଧାସଳଖ କୌଣସି ସମ୍ପର୍କ ନାହିଁ। କିନ୍ତୁ ଅତୀତର ପୃଷ୍ଠାକୁ ଲେଉଟାଇଲେ ଜଣାଯାଏ ଏପରି ଟ୍ରେଣ୍ଡ ରହିଛି। ଏହାକୁ ହୁଏତ ରାଜନୀତିକ ଅନ୍ଧବିଶ୍ୱାସ କୁହାଯାଇପାରେ। ଅତୀତରେ ଏହାର ପ୍ରଭାବ ପଡ଼ିଛି ଏବଂ ଉପରୋକ୍ତ ଦୁଇ ପ୍ରଶ୍ନକୁ ନେଇ ଇତିହାସ ହଁ ଭରୁଛି।

୨୦୧୪ ମସିହାରେ ଲୋକସଭା ନିର୍ବାଚନ ଏପ୍ରିଲ ୭ରୁ ମେ ୧୨ଯାଏ ଅନୁଷ୍ଠିତ ହୋଇଥିଲା। ମେ ୧୬ରେ ଫଳାଫଳ ବାହାରିଥିଲା। ଏହି ବର୍ଷ ଏପ୍ରିଲ ୧ରେ ଆରବିଆଇ ପଲିସି ରିଭ୍ୟୁ କରାଯାଇଥିଲା। ସେତେବେଳର ଗଭର୍ଣ୍ଣର ରେପୋରେଟ୍‌ ୮%ରେ ଅପରିବର୍ତ୍ତିତ ରଖିଥିଲେ, ଯାହାକି ଆଜି ୬%କୁ ଖସିଛି। ଏପରିକି ସେ କ୍ୟାସ୍‌ ରିଜର୍ଭ ରେସିଓ (ସିଆରଆର) ୪%ରେ ଅପରିବର୍ତ୍ତିତ ରଖିଥିଲେ। ଏହି ବର୍ଷ କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିଲା।

ଏହା ପୂର୍ବବର୍ଷ ୨୦୦୯ରେ ଏପ୍ରିଲ ୧୬ରୁ ମେ ୧୩ ଯାଏ ନିର୍ବାଚନ ହୋଇଥିଲା। ଏହି ବର୍ଷ ଏପ୍ରିଲ ୨୧ ଦିନ ଅର୍ଥାତ ନିର୍ବାଚନ ସମୟରେ ଆରବିଆଇ ପଲିସି ରିଭ୍ୟୁ କରାଯାଇଥିଲା। ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଡି ସୁବ୍ବାରାଓ ରେପୋରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରି ୪.୫%କୁ ଖସାଇ ଆଣିଥିଲେ। କ୍ୟାସ୍‌ ରିଜର୍ଭ ରେସିଓ (ସିଆରଆର) ୫%ରେ ଅପରିବର୍ତ୍ତିତ ରହିଥିଲା। ଏହି ବର୍ଷ ୟୁପିଏ ନିର୍ବାଚନ ଜିତିଥିଲା ଏବଂ କୃଷି ଋଣ ଛାଡ଼କୁ ଏହି ବିଜୟର ଶ୍ରେୟ ଯାଇଥିଲା।

ସେହିଭଳି ୨୦୦୪ରେ ଏପ୍ରିଲ ୨୦ରୁ ମେ ୧୦ ଯାଏ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ବର୍ଷ ମେ ୧୮ରେ ରେପୋରେଟ୍‌ ବାବଦରେ ମନିଟାରୀ ପଲିସି କମିଟି ଘୋଷଣା କରିଥିଲେ ଏବଂ ଆରବିଆଇ ଅଧ୍ୟକ୍ଷ ଥିଲେ ୱାଇଭି ରେଡ୍ଡୀ। ଏଥିରେ ବ୍ୟାଙ୍କ ରେଟ୍‌ ଓ ରେପୋରେଟ୍‌ ଅପରିବର୍ତ୍ତିତ ରହିଥିଲା। ଏହି ବର୍ଷ ନିର୍ବାଚନରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ପରାଜୟ ବରଣ କରିଥିଲା। ବିଜେପି ସରକାରଙ୍କ ‘ଇଣ୍ଡିଆ ଶାଇନିଂ’ ନାରା ମାଡ଼ ଖାଇଯାଇଥିଲା।