ମହାତ୍ମା ଗାନ୍ଧୀ ଥିଲେ ଚତୁର ବଣିଆ; ପଢ଼ନ୍ତୁ କିଏ ଓ କାହିଁକି କହିଲେ ଏକଥା

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଥିଲେ ଚତୁର ବଣିଆ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତକାଲି ରାୟପୁରରେ ଏକ କାର୍ଯ୍ୟକ୍ରମରେ ଏହି କଥା କହିଥିଲେ।

ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କଂଗ୍ରେସ ସଂପର୍କରେ କହିବା ବେଳେ ସେ ମହାତ୍ମା ଗାନ୍ଧୀଙ୍କ କଥା ଉଲ୍ଲେଖ କରିଥିଲେ। ଅମିତ କହିଥିଲେ,“କଂଗ୍ରେସ କୌଣସି ଗୋଟିଏ ବିଚାରଧାରା ବା ଗୋଟିଏ ସିଦ୍ଧାନ୍ତ ଉପରେ ଗଠିତ ଦଳ ନୁହେଁ। ଦେଶକୁ ସ୍ୱାଧୀନ କରିବା ପାଇଁ ଏହା ଏକ ସ୍ପେଶାଲ ପର୍‌ପସ୍‌ ଭେଇକିଲ୍‌ ଥିଲା। ସ୍ୱାଧୀନତା ହାସଲ କରିବା ପାଇଁ ଏହା ଏକ ସାଧନା ଥିଲା। ସେଥିପାଇଁ ଦେଶ ସ୍ୱାଧୀନ ହେବା ପରେ ମହାତ୍ମା ଗାନ୍ଧୀ ତୁରନ୍ତ କଂଗ୍ରେସକୁ ଭାଙ୍ଗି ଦେବାକୁ ଚାହୁଁଥିଲେ। କାରଣ ସେ ଜାଣିଥିଲେ ଆଗକୁ କ’ଣ ହେବ। ସେ ଜଣେ ବହୁତ ଚତୁର ବଣିଆ ଥିଲେ। ସେ ଜାଣିଥିଲେ କଂଗ୍ରେସର କୌଣସି ବିଚାରଧାରା ନାହିଁ। ସରକାର ଚଳାଇବା ପାଇଁ ଏହାର କୌଣସି ସିଦ୍ଧାନ୍ତ ନାହିଁ।”

ଅମିତ ଆହୁରି କହିଥିଲେ,“ଦେଶରେ ଥିବା ୧୬୫୦ଟି ରାଜନୈତିକ ଦଳ ମଧ୍ୟରୁ ବିଜେପି ଓ ସିପିଆଇ(ଏମ୍‌)କୁ ଛାଡ଼ି ଦେଲେ ଆଉ କୌଣସି ଦଳରେ ଆଭ୍ୟନ୍ତରୀଣ ଲୋକତନ୍ତ୍ର ନାହିଁ। ସୋନିଆ ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହେବେ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ବିଜେପିର ପରବର୍ତ୍ତୀ ସଭାପତି କିଏ ହେବ ତାହା କେହି ଜାଣିନାହାନ୍ତି।”