ବଦଳି ପରେ ଡ୍ୟୁଟିରେ ଯୋଗ ଦେଲେନି ରାଜୀବ କୁମାର

ନୂଆଦିଲ୍ଲୀ: ଚିଚଫଣ୍ଡ ସ୍କାମରେ ଛନ୍ଦି ହୋଇଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ନିର୍ବାଚନ କମିଶନ ବଦଳି କରିବା ସହ ଆଜି ଦିନ ୧୦ଟା ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ ଆଦେଶ ଦେଇଥିଲେ ସୁଦ୍ଧା ସେ ଯୋଗ ଦେଇ ନାହାନ୍ତି।

୧୪ ତାରିଖ ଦିନ ବିଜେପି ସଭାପତି ଅମିତ ଶାହଙ୍କ ରୋଡ ଶୋ’ ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାରେ ସିଆଇଡି ପୂର୍ବ ସୂଚନା ଦେଇନଥିବା ଦର୍ଶାଇ ନିର୍ବାଚନ କମିଶନ ଗତକାଲି ତାଙ୍କୁ ସିଆଇଡି ଏଡିଜି ପଦରୁ ହଟାଇ ଦେଇଥିଲେ। ଏବଂ ଆଜି ସକାଳ ୧୦ଟା ସୁଦ୍ଧା ଗୃହମନ୍ତ୍ରଣାଳୟରେ ଯୋଗ ଦେବାକୁ  ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ ଆଜି ଡ୍ୟୁଟିରେ ଯୋଗ ଦେଇନଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏମିତିକି ଡ୍ୟୁଟିରେ କାହିଁକି ଯୋଗ ଦେଇ ନାହାନ୍ତି ସେ ବାବଦରେ ମଧ୍ୟ ରାଜୀବ କୁମାର ଗୃହ ମନ୍ତ୍ରଣାଳୟକୁ ଜଣାଇ ନଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ରାଜୀବ କୁମାର ହେଉଛନ୍ତି କୋଲକାତାର ପୂର୍ବତନ ପୁଲିସ କମିଶନର ତଥା ସାରଦା ଚିଟଫଣ୍ଡ ଘୋଟଲାରେ ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସଆଇଟିର ମୁଖ୍ୟ ତଦନ୍ତ ଅଧିକାରୀ ଥିଲେ। ତଦନ୍ତ ବେଳେ ସେ ଅନେକ ମାମଲାକୁ ଲୁଚାଇବା ସଙ୍ଗେସଙ୍ଗେ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ ପ୍ରମାଣ ପାଇଛି। ଏହାପରେ ତାଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କରିବାକୁ ତାଙ୍କ ଘରକୁ ଯାଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇର ଏପରି କାର୍ଯ୍ୟଧାରାକୁ ବିରୋଧ କରି ଧାରଣାରେ ବସିଥିଲେ।

ଏହାପରେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶିମଲାରେ ସିବିଆଇର ମାରାଥନ୍ ଜେରାର ସମ୍ମୁଖୀନ ହୋଇଥିଲେ ରାଜୀବ କୁମାର। ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜୀବ କୁମାରଙ୍କୁ କୋଲକାତା ପୁଲିସ କମିଶନର ପଦରୁ ବଦଳି କରି ସିଆଇଡି ଏଡିଡି ପଦବୀରେ ନିଯୁକ୍ତି ଦେଇଥିଲେ।