ଚର୍ଚ୍ଚିତ ମଡେଲ୍‌ଙ୍କ ଫ୍ୟାସନ୍‌ ଯାତ୍ରା: ରିନିରୁ କେମିତି ପାଲଟିଗଲେ ରିହାନା, ମେକ୍‌ଅପ୍‌ ନେଲାବେଳେ ଶୁଣୁଥିଲେ ତାଚ୍ଛଲ୍ୟଭରା କଥା

ତାଙ୍କୁ ଯେତେବେଳେ ୩ବର୍ଷ ହୋଇଥିଲା ରିନି ଏକ ଫ୍ୟାନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏକ ସୁନ୍ଦର ଡ୍ରେସ୍‌ ଏବଂ ପିଠିରେ ହଳେ ପର ଲଗେଇ ଏକ ପରୀ ବେଶ ଧାରଣ କରିଥିଲେ ରିନି। ଷ୍ଟେଜ୍‌ରେ କିଛି ସମୟ ରହିବା ପରେ ପଛରୁ ଶୁଣାଗଲା, ଦେଖୋ, କାଲି ପରୀ (ଦେଖ କଳା ରଙ୍ଗର ପରୀ)। ସେଦିନ ସେହି କଟୁ କଥା ଏବଂ ଲୋକଙ୍କର ତାଚ୍ଛଲ୍ୟ ଭରା ହସ ତାଙ୍କୁ ହତାଶ କରିଦେଇଥିଲା। ଶେଷରେ ସେ ଷ୍ଟେଜ୍‌ ଉପରୁ କାନ୍ଦି କାନ୍ଦି ପଳାଇଥିଲେ। କିନ୍ତୁ ସେଦିନ ଷ୍ଟେଜରୁ ନିଜ ଲକ୍ଷ୍ୟକୁ ପୂରଣ ନକରି ପାରି ଚାଲିଯାଇଥିବା ସେହି ୩ବର୍ଷର ପିଲା ଏବେ ଜଣେ ଜଣାଶୁଣା ମଡେଲ୍‌। ରିନିଙ୍କୁ ଆଜି ସମସ୍ତେ ଜାଣନ୍ତି। କିନ୍ତୁ ‘ଇଣ୍ଡିଆନ ରିହାନା’ ନାଁରେ। ତେବେ କେମିତି ରିନିରୁ ରିହାନା ପାଲଟିଗଲେ ସେ ଆସନ୍ତୁ ଜାଣିବା।
ଛତିଶଗଡ଼ର ବଗିଚା ସହରରେ ଜନ୍ମ ଗ୍ରହଣ କରିଥିବା ରିନି  ପିଲାଦିନୁ ଜଣେ ମଡେଲ୍‌ ହେବାର ସ୍ୱପ୍ନ ରଖିଥିଲେ।

ଥଟ୍ଟା ଓ ଉପହାସର ସାମ୍ନା
ନିଜ ତ୍ୱଚାର ରଙ୍ଗ ପାଇଁ ରିନି ଜୀବନର ପ୍ରତିଟି ସ୍ତରରେ ଥଟ୍ଟା ଓ ଉପହାସର ସାମ୍ନା କରିଛନ୍ତି। ଏକ ସାକ୍ଷାତକାରରେ ରିନି କହିଛନ୍ତି, “ମଡେଲ୍‌ମାନେ ବେଶ୍ୟାବୃତ୍ତି କରନ୍ତି ବୋଲି ମତେ କୁହାଯାଉଥିଲା। ମଡେଲ୍‌ ହେବା ପାଇଁ ମତେ ଲୋକଙ୍କୁ ଶାରୀରିକ ଖୁସି ଦେବା ପାଇଁ କୁହାଗଲା। ମୋ ଦେହର ବର୍ଣ୍ଣ ମୋର ସଫଳତାର ସମସ୍ତ ସମ୍ଭାବନାକୁ ମାରି ଦେଉଥିଲା। ଫଟୋଗ୍ରାଫର୍‌ମାନେ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ମୋ ରଙ୍ଗକୁ ଧଳା କରିବା ପାଇଁ ଅଧିକ ମେକ୍‌ଅପ୍‌ ଦେବାକୁ କହୁଥିଲେ। ମୋ ଫଟୋଗୁଡିକୁ ଅଧିକ ଫଟୋଶପ୍‌ କରିବାକୁ ପଡୁଥିଲା। ମତେ ମେକ୍‌ଅପ୍‌ କରିବା ପରେ ସମସ୍ତେ ନିଜକୁ ସାବାସୀ ଦେଉଥିଲେ। ଏକଦା ଜଣେ ମେକଅପ୍‌ ଆର୍ଟିଷ୍ଟ କହିଥିଲେ- ‘ସୁନ୍ଦର ଲଡ୍‌କି କୋ ତୋ କୋଇଭି ମେକଅପ୍‌ କର ସକତା ହୈ, ଦ ରିଅଲ୍‌ ଚ୍ୟାଲେଞ୍ଜ ଇଜ୍‌ ଟୁ ମେକ୍‌ ଏ ଡାର୍କ ଗାର୍ଲ ଲୁକ୍‌ ଗୁଡ୍‌, ଆଣ୍ଡ ଆଇ ହାବ୍‌ ଡନ୍‌ ଇଟ୍। (ସୁନ୍ଦର ଝିଅଙ୍କୁ ତ ମେକଅପ୍ ଦ୍ୱାରା କେହିବି ସୁନ୍ଦର କରିପାରିବ କିନ୍ତୁ ପ୍ରକୃତ ପରୀକ୍ଷା ସେତେବେଳେ ଆସେ ଯେତେବେଳେ ତୁମକୁ ଏକ କଳା ଝିଅକୁ ମେକଅପ୍‌ ଦ୍ୱାରା ସୁନ୍ଦର କରିବାକୁ ପଡ଼େ। ଆଉ ମୁଁ ସେଇଟା କରିଦେଖାଇଛି।)’

ରିନିଙ୍କ ବନ୍ଧୁ କଲେ ସାହାଯ୍ୟ
ଦିନେ ରିନିଙ୍କ ବନ୍ଧୁ ଆସି ସେ ବାର୍‌ବାଡିଆନ୍‌ ଗାୟିକା ‘ରିହାନା’ଙ୍କ ପରି ଦେଖାଯାଆନ୍ତି ବୋଲି କହିଲେ। ଏଥିସହ ସେହି ବନ୍ଧୁ ଜଣଙ୍କ ବିନା କୌଣସି ମେକ୍‌ଅପ୍‌ରେ ରିନିଙ୍କର ଫଟୋଶୁଟ୍‌ କରାଇଲେ। ଏହାପରେ ସେ ତାଙ୍କ ନାଁ ରିନିକୁ ବଦଳାଇ ରିହାନା ରଖିଲେ। ପ୍ରଥମେ ରିନିଙ୍କୁ ତାଙ୍କ ନାଁ ରିହାନା ରଖିବାରେ ସଂକୋଚ ଲାଗୁଥିଲା କିନ୍ତୁ ନାଁ ପରିବର୍ତ୍ତନ କରିବା ପରେ ରିନିଙ୍କ ପ୍ରତି ଲୋକଙ୍କର ଚିନ୍ତାଧାରା ବଦଳିଗଲା। ଏବେ ଲୋକମାନେ ତାଙ୍କୁ ସମାଲୋଚନା କରୁନାହାନ୍ତି।
ରିହାନା ନାଁ ରଖିବା ପରେ ସମସ୍ତେ ରିନିଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେ। ରିନିଙ୍କୁ ଧୀରେ ଧୀରେ କାମ ମିଳିବାରେ ଲାଗିଲା। ଯେଉଁମାନେ ରିନିଙ୍କଠାରୁ ଦୂରେଇ ରହୁଥିଲେ ଏବେ ସେମାନେ ସ୍ୱିକାର କରୁଛନ୍ତି ଯେ ସେ ସୁନ୍ଦର। ରିନିଙ୍କ କହିବା ଅନୁଯାୟୀ, “ରିହାନା ନାଁ ତାଙ୍କ ଭାଗ୍ୟ ବଦଳାଇ ଦେଇଛି, ସେ ତାଙ୍କ ସହ ଜୀବନରେ ଥରେ ଦେଖା କରିବାକୁ ଚାହାଁନ୍ତି”

(ସୌଜନ୍ୟ: ଦି ବେଟର ଇଣ୍ଡିଆ)